ବୁକୁ ଫଟା ଚିତ୍କାର କରି କାନ୍ଦୁଛନ୍ତି ମାଆ, ୪ ଛୁଆଙ୍କ ସଲିଳ ସମାଧି

କୋରାପୁଟ (କେନ୍ୟୁଜ) : ପୋଖରୀ ହୁଡାରେ ଛୁଆକୁ କୋଳରେ ଜାକି ଛାତି ଫଟାଇ କାନ୍ଦୁଛି ମାଆ। ସମ୍ଭାଳି ପାରୁନି କୋହ, ମୁଣ୍ଡକୁ ବାଡେଇ ଚାଲିଛି। ବୋଧହୁଏ ଛୁଆଙ୍କୁ ଖେଳିବା ପାଇଁ ଛାଡିନଥିଲେ ଆଜି ତାଙ୍କ ଛୁଆ ଜୀବିତ ଅବସ୍ଥାରେ ଥାଆନ୍ତେ। ଜଣେ କି ଦୁଇଟା ନୁହେଁ ୪ ଚାରି ଜଣ ଛୁଆଙ୍କ ସଲିଳ ସମାଧି ଦେଖି ନିଜକୁ ସମ୍ଭାଳି ପାରୁନାହାଁନ୍ତି ମାଆ। ପୋଖରୀ ହୁଡାରେ ବସି ମୁଣ୍ଡ ବାଡେଇ ବୁକୁ ଫଟାଇ କାନ୍ଦି ଚାଲିଛନ୍ତି ପିଲାଙ୍କୁ ହରାଇଥିବା ମାଆମାନେ। ଏମାନଙ୍କ କାନ୍ଦ ଦେଖିଲେ ସତରେ ଆଖିରୁ ଲୁହ ଆସିଯାଉଛି।

ଏ ଚିତ୍ର ହେଉଛି କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକ ପାଇପଫୁଲବେଡା ପଂଚାୟତର ମାଝିଗୁଡା ଗାଁରେ। ଖେଳୁଥିବାବେଳେ ୪ ଜଣ ଶିଶୁ ହୋଇଯାଇଛନ୍ତି ସଲିଳ ସମାଧି। ଠିକାଦାରଙ୍କ ଦାୟିତ୍ୱହୀନତା ପାଇଁ ଆଜି ୪ ଜଣ ଶିଶୁ ଦୁନିଆ କଣ ଜାଣିବା ପୂର୍ବରୁ ଆଖି ବୁଜି ଦେଇଛନ୍ତି। ଏହି ୪ ଶିଶୁଙ୍କ ବୟସ ୪ ବର୍ଷରୁ ୮ ବର୍ଷ ମଧ୍ୟରେ। ମାଝିଗୁଡା ଗାଁର ସମରା ଶୁକ୍ରିଙ୍କ ୨ ଝିଅ ବିମଳା ଶୁକ୍ରୀ ୬ ବର୍ଷ ଓ ରହିଲା ଶୁକ୍ରୀ ୪ ବର୍ଷ, ସନିଆ ହନ୍ତାଳଙ୍କ ୬ ବର୍ଷର ଝିଅ ପୁର୍ଣି ହାନ୍ତାଳ ଓ ରବି ହନ୍ତାଳଙ୍କ ୬ ବର୍ଷର ପୁଅ ମଧୁସୂଦନ ହାନ୍ତାଳର ମୃତ୍ୟୁ ଘଟିଛି। ଲକ୍ଷ୍ମୀପୁର ବିଧାୟକ ଓ ଗ୍ରାମବାସୀଙ୍କ ଦାବି କ୍ରମେ ଗାତ ଖୋଳିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦଶମନ୍ତପୁର ତହସିଲଦାରଙ୍କୁ ଏ ବିଷୟରେ ଅବଗତ କରାଯାଇଛି।

କୋରାପୁଟ ମେଡିକାଲରେ ମୃତ ୪ ଜଣ ଶିଶୁଙ୍କ ଶବକୁ ରଖାଯାଇଛି। ବ୍ୟବଛେଦ ହେବା ପରେ ପରିବାରକୁ ହସ୍ତାନ୍ତର କରାଯିବ। ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଁଏ ଦେବାକୁ ଜିଲ୍ଲା ପ୍ରଶାସନ ସହାୟତା ଘୋଷଣା କରିଛି। ଏହାସହ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏହା ସହ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ନିଷ୍ପତି ନେଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର।

ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କୋରାପୁଟ ମେଡିକାଲ ଗସ୍ତ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ତେବେ ଏହାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରାଯାଇଛି। ଠିକା କମ୍ପାନୀ ଠାରୁ ପ୍ରତି ମୃତକଙ୍କ ପିଛା ୪୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଆଦାୟ କରିବାନେଇ ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଏହା ସହ ଠିକା କମ୍ପାନୀକୁ କଳା ତାଲିକା ଭୁକ୍ତ କରି ନିର୍ମାଣ କାମରୁ ହଟାଇବା ଏବଂ ଠିକା ସଂସ୍ଥା ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କୋରାପୁଟ ଏସପିଙ୍କୁ ନିର୍ଦେଶ ଦେବାକୁ ଆବେଦନରେ ଉଳ୍ଲେଖ ରହିଛି ।

କେଉଁଝର ଜିଲ୍ଲା ମଂଜୁରି ରୋଡ ,ସୋଲାପେଟା ଗ୍ରାମର ହିମାଂଶୁ ନାୟକ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାନେଇ ଜାତୀୟ ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆବେଦନକୁ ଜାତୀୟ ମାନବଧିକାର କମିଶନ ଗ୍ରହଣ କରିଥିବା ଜଣା ପଡିଛି। ଦର୍ଶକବନ୍ଧୁ ସବୁ ପରେ କଣ ବୁକୁ ଫଟାଇ କାନ୍ଦୁଥିବା ଏହି ମାଆମାନଙ୍କର ଛୁଆ କଣ ଫେରିଆସିବେ। ଠିକା କମ୍ପାନୀ ରାସ୍ତା କାମ କରିବାକୁ ଗାତ ତ ଖୋଳିଦେଲା କିନ୍ତୁ ଏହା ପାଇଁ କୌଣସି ବ୍ୟବସ୍ଥା ନ କରିଥିବାରୁ ଆଜି ୪ ଚାରି ଜଣ ପିଲା ହୋଇଯାଇଛନ୍ତି ସଲିଳ ସମାଧି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.