ବୁଣାକାର ସମ୍ପ୍ରଦାୟର ନିଆରା ଦୁର୍ଗା ପୂଜା: ଶହ ଶହ ବର୍ଷର ପରମ୍ପରା, ରାସ୍ତାରେ ନୂତନ ଶାଢି ବିଛାଯାଇ ମା’ଙ୍କୁ କରାଯାଇଥାଏ ସମର୍ପଣ

ଯାଜପୁର (କେନ୍ୟୁଜ): ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ପୂଜା ମଣ୍ଡପଗୁଡିକରେ ମହାମାୟାଙ୍କ ମହାସପ୍ତମୀ ପୂଜା ପରେ ଚାଲିଛି ଅଷ୍ଟମୀ ପୂଜା । ଏହି ପାର୍ବଣ ସମୟରେ କିଛି ସ୍ଥାନରେ ରହିଛି ମାଙ୍କର ନିଆରା ପୂଜା ପରମ୍ପରା । ଏଇ ଯେମିତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ନିକଟସ୍ଥ ର୍ମିଜାପୁର ଗାଁର ଦୁର୍ଗା ପୂଜା ପରମ୍ପରା ଶହ ଶହ ବର୍ଷର । ଏଠାରେ ମାଙ୍କୁ ସମର୍ପଣ ପୂର୍ବକ ରାସ୍ତାରେ ନୂତନ ଶାଢି ବିଛାଯାଇ ପୂଜା ମଣ୍ଡପ ପର୍ଯ୍ଯନ୍ତ ପାଛୋଟି ନିଆଯାଇଥାଏ । ଯାହାକୁ ଦେଖିବାକୁ ଆଖାପାଖ ଅଞ୍ଚଳର ଲୋକଙ୍କ ସମାଗମ ହୋଇଥାଏ ।

ମାଙ୍କ ଆବାହନ ପାଇଁ ଗାଁ ଠୁ ସହର ଚଳଚଂଚଳ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ନିକଟ ର୍ମିଜାପୁର ଗାଁର ଦୁର୍ଗା ପୂଜା ପରମ୍ପରା ଶହ ଶହ ବର୍ଷରୁ ଚାଲିଛି । ଏଠାକାର ୫୦ରୁ ଉର୍ଦ୍ଧ୍ୱ ବୁଣାକାର ପରିବାର ଏହି ପରମ୍ପରାକୁ ବଜାୟ ରଖି ଆସିଛନ୍ତି । ସପ୍ତମୀ ତିଥିରେ ନିକଟସ୍ଥ ନଦୀ କୂଳରେ ପରମ୍ପରା ଅନୁଯାୟୀ କଳସ ପୂଜା ସହ ଏକ କଦଳୀ ଗଛକୁ ନୂତନ ବସ୍ତ୍ର ପରିଧାନ କରାଯାଇ ସମସ୍ତ ଦେବାଦେବୀଙ୍କୁ ସନ୍ନିବେଷ୍ଟିତ କରାଯାଇଥାଏ । ପରେ ଘଣ୍ଟଘଣ୍ଟା ଓ ନାମ ସଂକୀର୍ତନର ତାଳେ ତାଳେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ହୋଇଥାଏ । ଏହି ସମୟରେ ଏକ ନିଆରା ଦୃଶ୍ଯ ଦେଖିବାକୁ ମିଳିଥାଏ ଯେ ନଦୀ କୂଳରୁ ପୂଜା ମଣ୍ଡପ ପର୍ଯ୍ଯନ୍ତ ରାସ୍ତାରେ ନୂତନ ଶାଢି ବିଛାଯାଇ ମାଙ୍କୁ ସ୍ୱାଗତ କରାଯାଇଥାଏ । ପ୍ରତ୍ୟେକ ପରିବାରର ମହିଳାମାନେ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ଯାହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ଲୋକଙ୍କ ସମାଗମ ହୋଇଥାଏ ।

mirjapura

କାହିଁ କେଉଁ ବର୍ଷରୁ ର୍ମିଜାପୁର ଗ୍ରାମର ବୁଣାକାର ସଂପ୍ରଦାୟର ଲୋକମାନେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି । ଯିଏ ଯେଉଁଠି ଥିଲେ ବି ଏହି ସମୟର ଗାଁକୁ ଫେରିଥାନ୍ତି । ସମସ୍ତେ ଏକାଠି ହୋଇ ପୂଜାକୁ ଧୁମଧାମର ସହ ପାଳନ କରିଥାନ୍ତି । ତେବେ ମହାମାରୀ କରୋନା ପାଇଁ ଦୁଇ ବର୍ଷ ହେବ ଏହି ପରମ୍ପରାରେ ରୋକ ଲାଗିଥିଲା । ଚଳିତବର୍ଷ ସରକାରଙ୍କ କଟକଣାକୁ ମାନି ପୂଜାକୁ ଆୟୋଜନ କରୋଯାଇଛି । ମାଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ୪ ରୁ ୫ ଜଣ ବ୍ରାହ୍ମଣ ପଣ୍ଡିତଙ୍କ ଉପସ୍ଥିତିରେ ଯଥାବିଧି ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ଏପଟେ ସ୍ଥାନୀୟ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମକୁ ବନ୍ଦ ରଖାଯାଇଛି । କେବଳ ନିରାଡମ୍ବର ଭାବେ ମାଙ୍କର ପୂଜାବିଧିକୁ ପାଳନ କରାଯିବ।  ତେବେ ବହୁ ବାଧାବିଘ୍ନ ସତ୍ୱେ ଏଠାକାର ବୁଣାକାର ପରିବାର ଲୋକେ ମାଙ୍କ ଉପରେ ଅତୁଟ ବିଶ୍ୱାସ ରଖିବା ସହ ବର୍ଷ ବର୍ଷର ପରମ୍ପରାକୁ ଭୁଲିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.