ନବ ଦିଗନ୍ତ ଚିଟ୍ ଫଣ୍ଡ୍ କମ୍ପାନୀର ୨ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ତଥା ସ୍ଥାବର ସମ୍ପତ୍ତିକୁ ଆଟାଚ କଲା ED

କେନ୍ୟୁଜ୍(ବ୍ୟୁରୋ):  ନବ ଦିଗନ୍ତ ଚିଟ୍ ଫଣ୍ଡ୍ କମ୍ପାନୀର  ୨ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ତଥା ସ୍ଥାବର ସମ୍ପତ୍ତିକୁ ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଆଧାରରେ ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ ଏବଂ ଏହାର ଅନ୍ୟ କମ୍ପାନୀଗୁଡିକ ଯାହାର ନିର୍ଦ୍ଦେଶକ ଅଞ୍ଜନ କୁମାର ବାଲିଆରିସିଂହ, ପ୍ରଦୀପ କୁମାର ପଟ୍ଟନାୟକ, କାର୍ତ୍ତିକେୟ ପରିଡ଼ା ଥିଲେ । ଏହା ସହ ପୂର୍ବ ନିର୍ଦ୍ଦେଶକ ତଥା ମୟୁରଭଞ୍ଜର ପୂର୍ବତନ ସାଂସବ ରାମଚନ୍ଦ୍ର ହାଁସଦା, କେନ୍ଦୁଝର ସଦରର  ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଏବଂ ନୂଆପଡା ଖରିଆରର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ଏହାର ନିର୍ଦେଶକ ପଦରେ ଥିଲେ । ଏହି ଠକେଇ ମାମଲାରେ ସମସ୍ତ ପୂର୍ବତନ ବିଧାୟକ, ସାଂସଦ ସିବିଆଇ ଦ୍ଵାରା ଗିରଫ ହୋଇ ଜେଲ୍ ଯାଇଥିଲେ।

ସମ୍ପତ୍ତି ଗୁଡିକରେ ୧୬ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାଙ୍କ ବାଲାନ୍ସ ରହିଛି। ଏହା IDBI ଏବଂ ଇଣ୍ଡିଆନ୍ ବ୍ୟାଙ୍କର ୪୮ ଟି ବ୍ୟାଙ୍କ ଆକାଉଣ୍ଟରେ ଏହା ରହିଥିଲା।  ସେହିପରି ପୁରୀ ଜିଲ୍ଲା ନରେନ୍ଦ୍ରପୁର ମାଉଜା ଏବଂ ଖୋର୍ଦ୍ଧା ଜିଲ୍ଲା କାଇପଦର ମୌଜାରେ  ୨ କୋଟି ଟଙ୍କା ମୂଲ୍ୟର ଦୁଇଟି ଜମି ରହିଛି।  କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆର୍ ଏବଂ ଦୁଇଟି ଚାର୍ଜସିଟ୍ ଆଧାରରେ ଇଡି PMLA ଅଧୀନରେ ED ତଦନ୍ତ ଆରମ୍ଭ କରିଥିଲା।

PMLA ଅଧୀନରେ ଅନୁସନ୍ଧାନ ସମୟରେ, ଏହା ଜଣା ପଡିଥିଲା ଯେ ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ ରେଡିମେବଲ୍ ପ୍ରିଫରେନ୍ସ ସେୟାର ଏବଂ ଅଣ କନଭର୍ଟିବଲ୍ ଡେବେଣ୍ଟର୍ସ ପ୍ରଦାନ କରି ଜନସାଧାରଣଙ୍କ ଠାରୁ ଜମା ସଂଗ୍ରହ କରୁଥିଲା । ଯାହା ଦ୍ୱାରା କୌଣସି ନିୟାମକ ପ୍ରାଧିକରଣ ଯଥା ଆରବିଆଇ, SEBI ଠାରୁ ଅନୁମତି ନ ନେଇ ଅନୁମତି ବିନା ଟଙ୍କା ରସିଦ ଏବଂ ପ୍ରମାଣପତ୍ର ପ୍ରଦାନ କରି ଅଧିକ ସୁଧ ଦେବା ପାଇଁ ଜନସାଧାରଣଙ୍କୁ ଆକର୍ଷିତ କରିଥିଲା । ଏବଂ ପରେ ଏହି ଜମା ଅର୍ଥକୁ  ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲି,  ନବ ଦିଗନ୍ତ ପ୍ରୋଜେକ୍ଟ ଲିମିଟେଡ୍ ଏବଂ ନବ ଦିଗନ୍ତ ପ୍ରପର୍ଟିଜ୍ ଲିମିଟେଡ୍ କୁ ଟ୍ରାନ୍ସଫର କରି ଦିଆଯାଉଥିଲା ବୋଳି ED ତଦନ୍ତରୁ ଜାଣିବାକୁ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.