ସାତକୋଶିଆ ମହାବଳକୁ ଜଗିବା ପାଇଁ ଆସିବେ ଶିମିଳିପାଳ ହାତୀ

ଶିମିଳିପାଳ : ସାତକୋଶିଆକୁ ଆସିଥିବା ମହାବଳକୁ ଜଗିବେ ଶିମିଳିପାଳ ହାତୀ। ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ହାତୀ ମହେନ୍ଦ୍ର ଓ ରାଜକୁମାର ସାତକୋଶିଆ ଆସିବେ। କିନ୍ତୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତକାଲି ଦୁଇ ହାତୀଙ୍କ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ସ୍ଥାନୀୟ ଲୋକେ ଓ ପରିବେଶିତ ତୀବ୍ର ବିରୋଧ କରିଥିଲେ। ସେଥିପାଇଁ ମହେନ୍ଦ୍ର ଓ ରାଜକୁମାରଙ୍କୁ ସ୍ଥାନାନ୍ତର କରାଯାଇପାରି ନାହିଁ । ଦୁଇ ହାତୀଙ୍କୁ ଶିମିଳିପାଳରୁ ନଛାଡିବା ପାଇଁ ଲୋକେ ଅଣ୍ଟା ଭିଡ଼ିଛନ୍ତି। ଏହି ହାତୀ ଦୁଇଟି ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ। ଶିକାରୀ ଘଉଡ଼ାଇବା ପାଇଁ ହାତୀ ଦୁଇଟି କର୍ଣ୍ଣାଟକରୁ ସ୍ୱତନ୍ତ୍ର ଭାବେ ତାଲିମ ପାଇଛନ୍ତି। ଏହି ଦୁଇ ହାତୀଙ୍କ ସହ ଅନ୍ୟ ଏକ ତାଲିମପ୍ରାପ୍ତ ହାତୀ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଘଉଡାଇବା କାମରେ ନିୟୋଜିତ ଥିଲେ। ଏଥିରୁ ଦୁଇଟି ହାତୀଙ୍କୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ବିରୋଧ କରାଯାଉଛି।

ଦୁଇଟି ହାତୀ ଚାଲିଗଲେ ଶିମିଳିପାଳ ପୁଣି ଶିକାରୀଙ୍କ ଚରାଭୂଇଁ ପାଲଟିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ପରିବେଶବିତ୍ ଚେତାବନୀ ଦେଇଛନ୍ତି। ଏଥିସହ ରାଜକୁମାରର ବୟସ ମାତ୍ର ୧୭ ବର୍ଷ ହୋଇଥିବାରୁ ମହାବଳଠାରୁ ତା ଜୀବନ ପ୍ରତି ବିପଦ ଥିବା ଏବଂ ୫୭ ବର୍ଷୀୟ ମହେନ୍ଦ୍ରକୁ ଏହି କାମରେ ଲଗାଇବା ଦୁର୍ଭାଗ୍ୟଜନକ ବୋଲି ପରିବେଶବିତ କହିଛନ୍ତି। ଏ ନେଇ ପିସିସିଏଫ୍‌ଙ୍କଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପରିବେଶବିତ୍ ତାରା ପ୍ରସାଦ ଦାସ। ଦୁଇ ହାତୀଙ୍କ ସ୍ଥାନାନ୍ତର ପ୍ରକ୍ରିୟା ବେଳେ ଯଶୀପୁରଠାରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲା ବନ ବିଭାଗ। ହାତୀଙ୍କୁ ସ୍ଥାନାନ୍ତର ଉପରେ ରୋକ ନଲାଗିଲେ ଜୋରଦାର ଆନ୍ଦୋଳନ କରିବାକୁ ଜଙ୍ଗଲପ୍ରେମୀ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.