ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି, କହିଲେ ବିକାଶ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍‌ ନୁହେଁ ।

ପୁରୀ(କେନ୍ୟୁଜ୍):  ପୁରୀ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜାରି ରହିବା ଆବଶ୍ୟକ । ବିକାଶ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍‌ ନୁହେଁ । ଏକଥା କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଆଜି ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ବିଶେଷଜ୍ଞଙ୍କ ଦ୍ୱାରା କାମ ଚାଲିଛି । ପ୍ରକଳ୍ପକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇପାରିବ । ଶାସ୍ତ୍ର ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ବିକାଶ କାର୍ଯ୍ୟ କରାଯାଉ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ପରିକ୍ରମା ପ୍ରକଳ୍ପ ନେଇ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିସ୍ତୃତ ଭାବରେ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇଛନ୍ତି । ପ୍ରୋଜେକ୍ଟର ମାଧ୍ୟମରେ ପ୍ରକଳ୍ପ ଓ ଡିଜାଇନ୍‌ ବାବଦରେ ତାଙ୍କୁ ବୁଝାଯାଇଛି । ଗଜପତି ମହାରାଜ କହିଛନ୍ତି, ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ତାଙ୍କୁ ଅବଗତ କରାଯାଇଛି । ଦୁଇ ଘଣ୍ଟା ଧରି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହୋଇଥିଲା । ଏତିକିବେଳେ ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.