ଇଏ କି ବିଚାର? ଏଠି ଖସି ଯାଉଛନ୍ତି ମାଫିଆ, ହେଲେ ଜଙ୍ଗଲରୁ ଗଛ ଖାଇଦେଲା ବୋଲି ଛେଳିକୁ ମିଳିଲା ଦଣ୍ଡ

କେନ୍ୟୁଜ୍: ଆଜି ଛାଡ଼ ପାଇଲା ଛେଳି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା। ଜଙ୍ଗଲରୁ ଗଛ ଖାଇଦେଇଥିବା ଅଭିଯୋଗରେ ୪ ଦିନ ଧରି ବନ ବିଭାଗ ହେପାଜତରେ ଥିବା ଛେଳିକୁ ଆଜି ଛାଡିଦିଆଯାଇଛି। ଛେଳିକୁ ଆଜି ଦୋଷମୁକ୍ତ କରି ଛାଡିଛି ବନବିଭାଗ। ଯାହାକୁ ନେଇ ଏବେ ବନବିଭାଗର ଅପାରଗତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଧରିଛି।

ଖଲ୍ଲିକୋଟ ବନାଞ୍ଚଳରୁ ଛେଳିକୁ ଗିରଫ କରାଯିବା ଘଟଣା ବେଶ କୌତୁହଳ ସୃଷ୍ଟି କରିଥିଲା। ଏହା ଯେତିକି କୌତୁହଳ ସୃଷ୍ଟି କରିଥିଲା, ସେତିକି ବନ ବିଭାଗ ଉପରେ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଥିଲା। ଗୋଟିଏ ଛେଳି ଜଙ୍ଗଲରେ ଡାଳପତ୍ର ଖାଇଲା ବୋଲି ବନବିଭାଗ ତାକୁ ଗିରଫ କରି ୪ଦିନ କାଳ ନିଜ ଅକ୍ତିଆରରେ ରଖିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ବନ ବିଭାଗ ଛେଳିଟିକୁ ଛାଡ଼ିଥିବା ଜଣାପଡ଼ିଛି।

ତେବେ ଘଟଣାକୁ ୪ ଦିନ ପରେ ମଧ୍ୟ ବନ ବିଭାଗ କାର୍ଯ୍ୟାଳୟରେ ବନ୍ଧା ହୋଇ ରହିଥିଲା ଛେଳିଟି। ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ପ୍ରଥମ ଥର ଘଟିଥିବା କୁହାଯାଇଛି । ସୂଚନା ମୁତାବକ, ଜଙ୍ଗଲରେ ଛେଳି ଚରୁଥିବା ବେଳେ ଡାଳ ଖାଇଦେଲା ବୋଲି ଉକ୍ତ ଛେଳିଟିକୁ ନେଇଯାଇଥିଲେ ବନ କର୍ମଚାରୀ। ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡରେ କିଛି ଲୋକ ନିଜ ଛେଳି ଗୋଠ ନେଇ ଚରାଇବାକୁ ଯାଇଥିଲେ। କିନ୍ତୁ ଛେଳି ଚରିବା ବେଳେ କିଛି ଛେଳି ବନ ବିଭାଗ ବୃକ୍ଷ ରୋପଣ କରିଥିବା କିଛି ଗଛର ଡାଳକୁ ଖାଇ ଦେଇଥିଲେ। ଆଉ ଏଥିରେ ରାଗି ଯାଇ ସେଠାରେ ଗଛ ରକ୍ଷଣ ବେକ୍ଷଣ ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଛେଳି ଗୋଠର ଗୋଟିଏ ଛେଳିକୁ ଅଟକ ରଖିଥିଲେ ଓ ରାଗିଯାଇ ଛେଳି ଚରାଉଥିବା ଛେଳି ଗୋଠର ମାଲିକକୁ ଗାଳି ଗୁଲଜ କରିଥିଲେ। ଆଉ ସାଙ୍ଗରେ ଛେଳିଟିକୁ ନେଇଯାଇଥିଲେ। ଛେଳିଟିକୁ ଛାଡି ଦେବା ପାଇଁ ବନ କର୍ମଚାରୀଙ୍କୁ ଛେଳି ଗୋଠ ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେମାନେ କିଛି ନଶୁଣି ଛେଳିଟିକୁ ଛାଡି ନଥିଲେ।

୪ ଦିନ ହେଲାଣି ଛେଳିଟିକୁ ବନ କର୍ମଚାରୀ ଛେଳି ଗୋଠର ମାଲିକକୁ ଫେରାଉ ନଥିବା ବେଳେ ଛେଳିଟିକୁ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମର୍ଟମ ରୁମରେ ବନ୍ଦି କରି ରଖିଥିଲେ। ଯାହା ଏବେ ଖଲ୍ଲିକୋଟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ଆମେ ବିଭିନ୍ନ ସମୟରେ ଦେଖାଇଛୁ ଖଲ୍ଲିକୋଟର ବିଭିନ୍ନ ଜଙ୍ଗଲରୁ ବାରମ୍ବାର ମୁଲ୍ୟବାନ ଶାଗୁଆନ କାଠକୁ କାଠ ମାଫିଆ କାଟି ନେଉଥିବା ବେଳେ ଆଜି ଯାଏଁ କାଠ ମାଫିଆକୁ ଧରିବାରେ ସକ୍ଷମ ହୋଇ ପାରିନି ବନ ବିଭାଗ, କିନ୍ତୁ ଛେଳି ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ନେଇ ବନ୍ଦି କରି ପୋଷ୍ଟମର୍ଟମ ରୁମରେ ରଖିବା ଏକ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.