ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି, ଦୁଇ ଦିନ ଯାଏ ରହିବ ଏମିତି ପାଗ

ଭୁବନେଶ୍ବର(କେନ୍ୟୁଜ୍): ଶ୍ରାବଣରେ ଧୁ ଧୁ ଖରା । ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି । ଖରାଦିନ ଭଳି ଲାଗୁଛି । ରାଜ୍ୟରେ ମୌସୁମୀ ଦୁର୍ବଳ ଯୋଗୁ ବର୍ଷା ପରିମାଣ କମିବା ସହ ଦିନର ତାପମାତ୍ରା ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ଅନେକ ଜିଲ୍ଲାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ୨-୩ ଡିଗ୍ରୀ ଯାଏ ତଳକୁ ଖସିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଉପରେ ରେକର୍ଡ କରାଯାଇଛି ।

ଅନୁଗୁଳରେ ସର୍ବାଧିକ ତାପମାତ୍ରା ରହିଥିଲା ୩୬.୧ ଡିଗ୍ରୀ ସେଲସିୟସ୍‌ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ମୌସୁମୀ ଦୁର୍ବଳ ହେବା ପରେ ରାଜ୍ୟରେ କମିଛି ବୃଷ୍ଟିପାତ । ଜୁନ୧ରୁ ଅଗଷ୍ଟ ୧ ମଧ୍ୟରେ ରାଜ୍ୟରେ ୯ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ୫୬୦ ମିମି ବର୍ଷା ରହିଥିବା ବେଳେ ଏପର୍ଯ୍ୟନ୍ତ ୫୧୨ମିମି ବର୍ଷା ହୋଇଛି । ୨ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୨୩ଟି ଜିଲ୍ଲାରେ ସ୍ୱାଭାବିକ ଓ ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.