ଆଜି ହାଇକୋର୍ଟରେ ହେବ ଅଭିନେତ୍ରୀ ପ୍ରକୃତି ମିଶ୍ର କରିଥିବା ଆବେଦନର ଶୁଣାଣି

କଟକ(କେନ୍ୟୁଜ୍): ଆଜି ହାଇକୋର୍ଟରେ ହେବ ଅଭିନେତ୍ରୀ ପ୍ରକୃତି ମିଶ୍ର କରିଥିବା ଆବେଦନର ଶୁଣାଣି । ତାଙ୍କୁ ଆକ୍ରମଣ ଘଟଣାରେ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତୀ ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ କମିଶନରେଟ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି । ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କ ଖଣ୍ଡପୀଠରେ ପିଟିସନର ଶୁଣାଣି ପାଇଁ ସ୍ଥିର ହୋଇଛି । ଆକ୍ରମଣ ଘଟଣାରେ ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତି ମିଶ୍ର ।

ସେ କହିଛନ୍ତି, କୋର୍ଟଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଅଛି । ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି । ଜୁଲାଇ ୨୩ ତାରିଖରେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲେ । ବାବୁସାନଙ୍କ ଗାଡ଼ିରେ ପ୍ରକୃତି ମିଶ୍ରଙ୍କୁ ଦେଖି ଝଗଡ଼ା କରିଥିଲେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ । ଏନେଇ ଭୁବନେଶ୍ୱର ଖାରବେଳନଗର ଥାନାରେ ପ୍ରକୃତିଙ୍କ ପରିବାର ପକ୍ଷରୁ ଏତଲା ହୋଇଥିଲା । ପ୍ରକୃତିଙ୍କ ମା’ କୃଷ୍ଣାପ୍ରିୟା ମିଶ୍ରଙ୍କ ଅଭିଯୋଗରେ ତୃପ୍ତି, ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ତୃପ୍ତୀଙ୍କ ପକ୍ଷରୁ ବି ପାଲଟା ଏତଲା ହୋଇଥିଲା । ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇ ପାରିନଥିବା ଅଭିଯୋଗ କରିଛନ୍ତି ପ୍ରକୃତି । ଏହି ମାମଲାରେ ଗୃହ ସଚିବ, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ ହାଇକୋର୍ଟରେ ଅପିଲ କରିଛନ୍ତି ପ୍ରକୃତି ମିଶ୍ର । କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗରେ ଅଗଷ୍ଟ ୨୩ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.