ଭୁବନେଶ୍ବର : କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଠିକ୍ ନା ଭୁଲ । ଲାଗି ରହିଛି ବାଦ ବିବାଦ । ଏହା ଭିତରେ ଆୟୁଷ୍ମାନ ଭାରତକୁ ଖୋଲାଖୋଲି ବିରୋଧ କରିଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ-IMA । ଯୋଜନାରେ ଥିବା ପ୍ୟାକେଜ ରେଟ୍କୁ ନେଇ ଆପତ୍ତି ଉଠାଇଛି । ଆଇଏମ୍ଏ ଦର୍ଶାଇଛି, ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏହି ପ୍ୟାକେଜ ରେଟ୍ ସହାୟକ ହେବ ନାହିଁ । ସେହିପରି ଆୟୁଷ୍ମାନ ଯୋଜନାର ଇନ୍ସୁରାନ୍ସ ମଡେଲକୁ ମଧ୍ୟ ଆଇଏମ୍ଏ ପ୍ରତ୍ୟାଖ୍ୟାନ କରିଛି । ଇନ୍ସୁରାନ୍ସ ମଡେଲ କାର୍ଯ୍ୟକାରୀ ହେଲେ କେବଳ ମିଡଲ୍ ମ୍ୟାନ ବା ମଧ୍ୟସ୍ଥିମାନେ ଜବରଦସ୍ତ ଫାଇଦା ପାଇବେ । ୧୫ ପ୍ରତିଶତ ପ୍ରିମିୟମର କୋଟି କୋଟି ଟଙ୍କା ଅଯଥାରେ ମିଡିଲମ୍ୟାନଙ୍କ ପାଖକୁ ଯିବ । ଯୋଜନା ଲୋକଙ୍କ ହିତରେ କମ୍, ମଧ୍ୟସ୍ଥିଙ୍କୁ ବେଶ ସୁହାଇବ ।
ଏବେ ଆସନ୍ତୁ ନଜର ପକାଇବା, ଆୟୁଷ୍ମାନ ଭାରତ ଯୋଜନାରେ ପ୍ୟାକେଜ ରେଟ୍ କଣ ରହିଛି । ଆଣ୍ଠୁ ପ୍ରତିରୋପଣ ପାଇଁ ୯୦ ହଜାର, ହାର୍ଟ ଷ୍ଟେଣ୍ଟ୍ ୪୦ ହଜାର, ବାଇପାସ୍ ସର୍ଜରୀ ୧ଲକ୍ଷ ୧୦ ହଜାର, ରିପ୍ଲେସମେଣ୍ଟ ଅଫ୍ ଭାଲ୍ଭ ୧ ଲକ୍ଷ ୨୦ ହଜାର, ହିପ୍ ରିପ୍ଲେସମେଣ୍ଟ ୯୦ ହଜାର ଓ ଆଣ୍ଠୁ ସର୍ଜରୀ ପାଇଁ ୨୫ ହଜାର ଟଙ୍କା ପ୍ୟାକେଜ୍ ରେଟ୍ ରହିଛି । ଏହି ପ୍ୟାକେଜ ରେଟ୍ରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କଷ୍ଟକର ବ୍ୟାପାର ବୋଲି କେନ୍ଦ୍ରକୁ ଅବଗତ କରାଇଛି ଆଇଏମ୍ଏ ।
ଆୟୁଷ୍ମାନ ଭାରତ ଯୋଜନା ପରିବର୍ତ୍ତେ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନା ଇନ୍ସୁରାନ୍ସ ନୁହେଁ, ଆସ୍ୟୋରାନ୍ସ ବୋଲି କହିଛନ୍ତି ରାଜ୍ୟ ସରକାର । ଉପକୃତ ହେବେ ରାଜ୍ୟର ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ । ଏହି ଯୋଜନା ଘୋଷଣା ପରେ ରାଜ୍ୟର ଏହି ଆଭିମୁଖ୍ୟକୁ ସନ୍ଦେହ ପ୍ରକଟ କରିବା ସହ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ ଆୟୁଷ୍ମାନ ଭାରତକୁ ଆଇଏମ୍ଏ ବିରୋଧ କରିବା ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଠିକ୍ ଥିବା କହିଛି ବିଜେଡି ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିଥିବା ଅଭିଯୋଗ କରିଥିଲା ବିଜେପି । ଏହାକୁ ନେଇ ରାଜନୈତିକ ବାକ୍ଯୁଦ୍ଧ ତେଜିଥିଲା ।