ମେଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟକୁ ଅର୍ନ୍ତଜାତୀୟ ସ୍ୱୀକୃତି, ମେଲେରିଆ ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟରେ ୨୦୧୭ ମସିହାଠାରୁ ମେଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ସଫଳତା ମିଳି ପାରିଛି । ୨୦୧୬ ମସିହାରେ ୪.୫ ଲକ୍ଷ ମେଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସରକାରଙ୍କର ମେଲେରିଆ ନିରାକରଣ ଦିଗରେ ‘ଦମନ’ ଭଳି ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏଥିରେ ୪୫ ହଜାର ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଗୋଷ୍ଠୀ ସ୍ତରର ସ୍ୱେଚ୍ଛାସେବୀ ମାନଙ୍କର ନିରନ୍ତର ଉଦ୍ୟମ ଫଳରେ ମେଲେରିଆ ରୋଗୀଙ୍କ ସଂଖ୍ୟା ୯୦ % ହ୍ରାସ ପାଇପାରିଛି। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭୂୟସି ପ୍ରଶଂସା କରିଛି । ୨୦୧୯ ମସିହାରେ ରାଜ୍ୟରେ ମେଲେରିଆ ଦୂରିକରଣ ପାଇଁ ରାଜ୍ୟ ସରକାରଙ୍କ ସହ ‘ମେଲେରିଆ ନୋ ମୋର୍‌’ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଅନୁଷ୍ଠାନ ସରକାରଙ୍କ ସହ ବିଗତ ତିନି ବର୍ଷ ଧରି ମେଲେରିଆ ନିରାକରଣ ଦିଗରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଆସୁଛି । ମାଲକାନାଗିରି ଓ କୋରାପୁଟ ଭଳି ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହି ଅନୁଷ୍ଠାନର ପ୍ରାୟ ୩୫୦ ସ୍ୱେଚ୍ଛାସେବୀ ଏଥିରେ ନିୟୋଜିତ ଅଛନ୍ତି ।

 

malaria 123
ଆଜି ଲୋକସେବା ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କୁ ସାକ୍ଷାତ କରି ‘ମେଲେରିଆ ନୋ ମୋର୍‌’ର ପ୍ରତିନିଧି ମଣ୍ଡଳୀ ରାଜ୍ୟରେ ମେଲେରିଆ ନିରାକରଣ ସଂପର୍କରେ ଅନୁଷ୍ଠାନର କାର୍ଯ୍ୟବଳୀ ଓ ଭବିଷ୍ୟତର କାର୍ଯ୍ୟ ପନ୍ଥା ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ଓଡ଼ିଶାକୁ ମେଲେରିଆ ମୁକ୍ତ କରିବା ପାଇଁ ସରକାରଙ୍କର ଆନ୍ତରିକତା ଓ ଆଭିମୁଖ୍ୟ ସଂପର୍କରେ ମତ ରଖି କହିଲେ ଯେ, ଏହା ନିଶ୍ଚିତ ଯେ ମେଲେରିଆ ନିରାକରଣ କ୍ଷେତ୍ରରେ ସରକାର ଭଲ ପ୍ରଦର୍ଶନ କରିଛନ୍ତି ଯାହାକୁ କି ଆର୍ନ୍ତଜାତୀୟ ସ୍ୱୀକୃତି ମିଳି ପାରିଛି ।

ଆଗାମୀ ଦିନରେ ଅନ୍ୟ ଜିଲ୍ଳା ଗୁଡ଼ିକରେ ମଧ୍ୟ ମେଲେରିଆ ନିରାକରଣ କାର୍ଯ୍ୟ ଆରମ୍ଭ ହେବ । ଏହି ଅବସରରେ ‘ମେଲେରିଆ ନୋ ମୋର୍‌’ର ଷ୍ଟ୍ରାଟେଜିକ୍ ଇନିସିଏଟରର ପରିଚାଳନା ନିର୍ଦ୍ଦେଶକ, କେଲି ଉଇଲସ୍‌, ଆର୍ନ୍ତଜାତୀୟ ପ୍ରୋଗ୍ରାମ ମ୍ୟାନେଜର, କାର୍ଲ ନିକୋଲାସ, ଭାରତର ମୁଖ୍ୟ, ପ୍ରତୀକ କୁମାର, ପ୍ରୋଗ୍ରାମ ହେଡ଼୍‌, ଅତୁଲ କୁମାର, ଓଡ଼ିଶା ହେଡ଼୍‌, ବିଶ୍ୱଜିତ୍‌ ମହାପାତ୍ର ଓ ସ୍ୱାସ୍ଥ୍ର ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡ଼ା ଅଜିତ୍ ମହାନ୍ତି, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ନିରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.