ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ: ୪ କୋଟିରୁ ଊର୍ଦ୍ଧ ଟଙ୍କା ବ୍ଯୟରେ କୁଟୁରିଆ ଗ୍ରାମରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର

ଯାଜପୁର ଟାଉନ(କେନ୍ୟୁଜ୍‌): ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ। ୪ ବର୍ଷ ତଳେ ଆରମ୍ଭ ହୋଇଥିବା ମନ୍ଦିର ଶେଷରେ ହେଲା ସମ୍ପୂର୍ଣ୍ଣ।ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ କୁଟୁରିଆ ଗ୍ରାମରେ ପ୍ରତିଷ୍ଠା ହୋଇଛି ବହୁ ପ୍ରତିକ୍ଷିତ ଜଗନ୍ନାଥ ମନ୍ଦିର । ନବ ନିର୍ମିତ ମନ୍ଦିରରେ ଚତୁର୍ଦ୍ଧା ମୂର୍ତି ପ୍ରତିଷ୍ଠା ହେବା ସହିତ ଆୟୋଜିତ ହୋଇଥିଲା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ । ମନ୍ଦିର ପ୍ରତିଷ୍ଠା ପାଇଁ ପାଖାପାଖି ୪ କୋଟି ରୁ ଊର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଗ୍ରାମବାସୀଙ୍କ ସହଯୋଗରେ ଏସବୁ ସମ୍ଭବ ହୋଇପାରିଛି ।

ମନ୍ଦିର ପ୍ରତିଷ୍ଠା  ଅବସରରେ କୁଟୁରିଆ ଗାଁରେ ୪ଦିନ ଧରି ଅନୁଷ୍ଠିତ ହୋଇଥିଲା ବିଶ୍ୱ ଶାନ୍ତି ମହାଯଜ୍ଞ । ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ବୈତରଣୀ ନଦୀ ଘାଟରୁ କଳସ ଭର୍ତ୍ତି ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀରେ ବଡ ଠାକୁରଙ୍କ ଅଙ୍କୁରାଧିବାସ, କଳସ ଯାତ୍ରା, ଘଟସ୍ଥାପନ, ଦେବତା ଆବାହନ, ଅଗ୍ନି ସ୍ଥାପନ, ସୂର୍ଯ୍ଯ ପୂଜା, ଧେନୁ ପୂଜା, ନ୍ଯାସ ଓ ପୂର୍ଣ୍ଣାହୂତି କାର୍ଯ୍ଯକ୍ରମ ଆଦି ଯଥାରୀତିରେ ଅନୁଷ୍ଠିତ ହୋଇଥିଲା । ଚତୁର୍ଦ୍ଧା ମୂର୍ତିଙ୍କୁ ପହଣ୍ଡି କରି ନୂତନ ମନ୍ଦିରରେ ଅବସ୍ଥାପିତ କରାଯାଇଥିଲା । ଏହି ଅବସରରେ ଭଜନ ସଂଧ୍ୟା ଓ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଯାହାକୁ ଦେଖିବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା । ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ଯ ଦୈନିକ ଦୁଇ ବେଳା ପ୍ରସାଦ ସେବନ ବ୍ଯବସ୍ଥା କରାଯାଇଥିଲା ।

କୁଟୁରିଆ ଗାଁରେ ପ୍ରଥମେ ଭାଗବତ ଟୁଙ୍ଗି ରହିଥିଲା । ଏହା ପରେ ଏକ ଛୋଟ ମନ୍ଦିରରେ ଚତୁର୍ଦ୍ଧା ମୂର୍ତିଙ୍କ ପୂଜାର୍ଚ୍ଚନା କରାଯାଉଥିଲା । କିନ୍ତୁ ପରବର୍ତି ସମୟରେ ଆଖପାଖ ଅଂଚଳବାସୀ ଏଠାରେ ଏକ ବଡ ମନ୍ଦିର କରିବା ପାଇଁ ନିଷ୍ପତି ନେଇଥିଲେ । କେବଳ କୁଟୁରିଆ ନୁହେଁ ଗୋପକୁଳ, ଡୋଭାବିଲ, ବାର୍ତାଙ୍ଗ, ବନପୁର ଆଦି ଗାଁ ଲୋକଙ୍କ ସହଯୋଗ କ୍ରମେ ପ୍ରାୟ ୪ ବର୍ଷ ତଳେ ଏଠାରେ ଆରମ୍ଭ ହୋଇଥିଲା ମନ୍ଦିର କାର୍ଯ୍ଯ ।  କୋଭିଡ ପୂର୍ବରୁ ଏହି ମନ୍ଦିର କାମ ଆରମ୍ଭ ହୋଇଥିବା ବେଳେ ରାଜ୍ଯ ବାହାରର କାରିଗରଙ୍କ ଦ୍ୱାରା ମନ୍ଦିର କାର୍ଯ୍ଯ ସମ୍ପନ୍ନ ହୋଇଛି।
ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ସ୍ଥାନୀୟ ଗାମବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି ।  ଏଭଳି ଯଦି ସବୁ ଗାଁରେ ଏକତା ବଜାୟ ରହିବ ତେବେ ଗ୍ରାମର ଉନ୍ନତିକରଣ ଖୁବ୍ ଶୀଘ୍ର ହେବ ଏଥିରେ ଦ୍ବନ୍ଦ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.