ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡି ଓ ଘରେ ଚାଲିଛି ଝୁଲଣ ଯାତ୍ରା, ଦେଖିବାକୁ ଜମୁଛି ଭକ୍ତଙ୍କ ଭିଡ଼

ପୁରୀ(କେନ୍ୟୁଜ୍): ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାର ମାସରେ ତେର ଯାତ୍ରା । ସେଥିମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ । ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରାର ସ୍ୱତନ୍ତ୍ରତା ଅନେକ ରହିଛି । ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଛି ଝୁଲଣକୁଞ୍ଜ । କୁଞ୍ଜକୁ ଆକର୍ଷଣୀୟ କରିବାକୁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଛି । ଏକମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଝୁଲଣ ନିର୍ମାଣ କରିବାରେ ଲାଗିଥାନ୍ତି । ଝୁଲଣ କୁଞ୍ଜରେ କେବଳ ଦେବାଦେବୀ ନୁହଁନ୍ତି ସଖୀ, ପଶୁ, ପକ୍ଷୀ, ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ଓ ଫଳମୂଳକୁ ସ୍ଥାନ ଦିଆଯାଇଛି । ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମୁଛି ।

ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡି ଓ ଘରେ ଝୁଲଣଯାତ୍ରା ଆରମ୍ଭ ହୋଇଛି । ଭାଦ୍ରବ କୃଷ୍ନପକ୍ଷ ପ୍ରତିପଦା ତିଥି ପର୍ଯ୍ୟନ୍ତ ଝୁଲଣଯାତ୍ରା ଚାଲିବ । ପ୍ରତିଦିନ ସଂଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରିବେ ।

ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରାର ମାହୋଲ୍‌ ନେଇ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତ ସମସ୍ତ ମଠମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଛି । ଏହି ବଅବସରରେ ଝୁଲଣକୁଞ୍ଜ ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଛି ।

Leave A Reply

Your email address will not be published.