ଆଉ ଲକ୍ଷେ ଚିହ୍ନଟ : ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଚିଟଫଣ୍ଡ୍ ତଦନ୍ତ କମିଶନ

ଭୁବନେଶ୍ବର : ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ ମଦନମୋହନ ଦାସ କମିଶନ ତାଙ୍କର ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ରାଜ୍ୟ ଗୃହ ସଚିବଙ୍କୁ ୧୨ ହଜାର ୫୩୦ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ କମିସନଙ୍କ ସଚିବ। ପଞ୍ଚମ ପର୍ୟ୍ୟାୟ ସୁଦ୍ଧା ପ୍ରାୟ ୨ଲକ୍ଷ ୫୨ହଜାର ସତ୍ୟପାଠର ଯାଞ୍ଚ ହୋଇଛି। ଚିହ୍ନଟ ହେଲଣି ୨ ଲକ୍ଷ ୧୮ହଜାର ୩୫୪ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ । ପଞ୍ଚମ ପର୍ୟ୍ୟାୟରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୧ ହଜାର ୮୫୦ ଜଣ ।

୨୦୧୬ ମେରେ ପ୍ରଥମ, ୨୦୧୭ ଜାନୁଆରୀରେ ଦ୍ୱିତୀୟ, ୨୦୧୭ ଜୁଲାଇରେ ତୃତୀୟ ଓ ଗତ ଜାନୁୟାରୀ ମାସରେ କମିଶନ ଚତୁର୍ଥ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।

୨୦୧୩ ଜୁଲାଇ ମାସରେ, ଚିଟ୍‌ ଫଣ୍ଡ ତଦନ୍ତ କମିଶନ ଗଠନ ହୋଇଥିଲା। ସେତେବେଳେ ଜଷ୍ଟିସ ରାଧାକୃଷ୍ଣ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ପରେ ୨୦୧୫ ଫେବ୍ରୁଆରୀରେ ଜଷ୍ଟିସ ଏମ୍‌ଏମ୍‌ ଦାସଙ୍କୁ ଦିଆଗଲା ଦାୟିତ୍ୱ। ସରକାର ପ୍ରାଥମିକ ପର୍ୟ୍ୟାୟରେ କ୍ଷୁଦ୍ର ଜମାକାରୀ, ଅର୍ଥାତ ଯେଉଁମାନେ ୧୦ ହଜାରରୁ କମ ଟଙ୍କା ଜମା ରଖିଛନ୍ତି ସେମାନଙ୍କୁ ଅର୍ଥ ଫେରାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏଥିଲାଗି ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଥିଲା। ବର୍ତ୍ତମାନସୁଦ୍ଧା ୧୪୮୫ ଜଣ ଟଙ୍କା ଫେରି ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.