୨୦ ବର୍ଷରେ ପାଦ ଥାପିଲା ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’, ନିରାଡମ୍ବର ଭାବେ ରାଜ୍ୟପାଳଙ୍କ ଅଭିଷେକ ହଲରେ ସ୍ୱନକ୍ଷତ୍ର ଉତ୍ସବ ହେଲା ପାଳିତ

କେନ୍ୟୁଜ୍(ବ୍ୟୁରୋ):  ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ବିଂଶତମ ସ୍ୱନକ୍ଷତ୍ର ଉତ୍ସବ ନିରାଡମ୍ବର ଭାବେ ସମାଜିକ ଦୂରତା ଅବଲମ୍ବନ କରାଯାଇ ଓଡିଶା ରାଜ୍ୟପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

କୌଣସି ଦର୍ଶକ ନଥାଇ କାଦମ୍ବିନୀ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କାଦମ୍ବିନୀ ସମ୍ପାଦିକା ଡ.ଇତି ସାମନ୍ତ, ସମ୍ମାନୀୟ ଅତିଥି ତଥା ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟଶାଣୀ, ଅଭିନେତ୍ରୀ ଅନୁ ଚୌଧୁରୀ ଚଳିତ ସଂସ୍କରଣର ପ୍ରଚ୍ଛଦପଟ୍ଟ ସ୍ଥାନ ପାଇଥିବା କଳାକାରଙ୍କ ଉପସ୍ଥିତିରେ କାଦମ୍ବିନୀ ଓ ଶିଶୁ ପତ୍ରିକା କୁନିକଥାର ସ୍ୱନକ୍ଷତ୍ର ବିଶେଷାଙ୍କକୁ ମୁଖ୍ୟ ଅତିଥି ପ୍ରଫେସର ଗଣେଶୀଲାଲ ଉନ୍ମୋଚନ କରିଥିଲେ। କାଦମ୍ବିନୀକୁ ମେଘମାଳା ସହ ତୁଳନା କରିବା ସହ ପତ୍ରିକାର ଉକୃଷ୍ଟତା ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ ରାଜ୍ୟପାଳ।

କାଦମ୍ବିନୀ ଓ କୁନିକଥାର ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଲେ, ଗତ ୨୦ ବର୍ଷ ଭିତରେ କାଦମ୍ବିନୀ କେବଳ ଏକ ପତ୍ରିକା ହୋଇ ରହିନାହିଁ । ଏହା ଏକ ବିରାଟ ଅନୁଷ୍ଠାନରେ ପରିଣତ ହୋଇପାରିଛି । କାଦମ୍ବିନୀ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ସହାୟକ ହେବା ସହ ଶିଶୁଙ୍କ ପାଇଁ ଶିଶୁ ପତ୍ରିକା ‘କୁନିକଥା’ ପ୍ରକାଶନଠାରୁ ଆରମ୍ଭ କରି ପତ୍ରିକା ହାଟ, ଜାତୀୟ ଓ ଆର୍ନ୍ତଜାତୀୟ କବି ଓ ଲେଖକ ସମ୍ମିଳନୀ, କୁନାକୁନି ମେଳା ଜରିଆରେ ସାହିତ୍ୟର ବିକାଶ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ କରି ଆସୁଛି ।

kadambini

ଓଡ଼ିଶାର କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସାହିତ୍ୟ ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରି ଆସୁଛି । କାଦମ୍ବିନୀକୁ ବିଭିନ୍ନ ସ୍ତରରେ ସହଯୋଗ କରି ଆସୁଥିବା ଏହାର ପାଠକ ପାଠିକାଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇବା ସହ ଓଡ଼ିଶାର ସମସ୍ତ ଲେଖକ ଓ କବି, ବିଜ୍ଞାପନଦାତା ଓ ବିତରକ ମାନଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ୨୦୦୦ ମସିହାରେ କାଦମ୍ବିନୀର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ମଧ୍ୟରୁ କେବଳ ଡ. ପାଟଶାଣୀ ଉପସ୍ଥିତ ଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଅନୁ ଚୌଧୁରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.