କିଟ୍‌ରେ ଚାଲିଛି ୮୧ତମ ମହିଳା ଚାମ୍ପିଅନସିପ୍‌, ଉଦଘାଟନ କଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ଲାଗି ଓଡ଼ିଶାରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନସିପ୍‌ ଉଦଘାଟିତ ହୋଇଛି। ଏହି ଚାମ୍ପିଅନସିପ୍‌ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିସ୍‌ ବିଶ୍ୱବିଦ୍ୟାଳୟ ସହଯୋଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହେଉଛିା ଏହି ଚାମ୍ପିଅନସିପକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାରେ ମଧ୍ୟ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଅର୍ଜ୍ଜୁନ ପୁରସ୍କାରପ୍ରାପ୍ତ, ଅଲିମ୍ପିଆନ୍‌ ଦୌଡ଼ରାଣୀ ତଥା କିଟ୍‌ ଛାତ୍ରୀ ଦୂତି ଚାନ୍ଦ କହିଥିଲେ।

ଛାତ୍ରଛାତ୍ରୀମାନେ କ୍ରୀଡ଼ାକୁ ମଧ୍ୟ କ୍ୟାରିଅର୍‌ କରି ଭବିଷ୍ୟତ ଗଢି ପାରିବେ। ତେଣୁ ବାପା-ମାଆମାନେ ସେମାନଙ୍କ ପିଲାଙ୍କୁ କ୍ରୀଡ଼ା ପାଇଁ ଉତ୍ସାହିତ କରିବା ଉଚିତ ବୋଲି ସେ କହିଛନ୍ତି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନ୍‌ସିପରେ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୨ ହଜାରରୁ ଊର୍ଦ୍ଧ୍ୱ ଖେଳାଳି, କୋଚ୍‌ ଓ ଅଫିସିଆଲ୍‌ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଖେଳାଳି ଏବଂ ପ୍ରତିଷ୍ଠିତ କୋଚ୍‌ ଅଛନ୍ତି ।

dr achyut

ଏହି ଚାମ୍ପିଅନସିପରେ ୧୦୦, ୨୦୦, ୪୦୦, ୮୦୦, ୧୫୦୦, ୫୦୦୦ ଏବଂ ୧୦୦୦୦ମିଟର ଦୌଡ,୧୦୦ ଏବଂ ୪୦୦ମିଟର ବାଧାଦୌଡ଼, ହାଫ୍‌ ମାରାଥାନ୍‌, ୨୦ କିଲୋମିଟର ରେସ୍‌ ୱାକ୍‌, ଲଙ୍ଗ୍‌ ଜମ୍ପ୍‌, ଟ୍ରିପଲ୍‌ ଜମ୍ପ୍‌, ହାଇ ଜମ୍ପ୍‌, ପୋଲ୍‌ ଭଲ୍ଟ, ସଟଫୁଟ୍‌, ଡିସକସ୍‌ ଥ୍ରୋ, ଜାଭେଲିନ୍‌ ଥ୍ରୋ, ହାମର୍‌ ଥ୍ରୋ, ହେପ୍ଟାଥଲନ୍‌, ୩୦୦୦ମିଟର ଷ୍ଟିପଲ୍‌ ଚେଜ୍‌, ୪ ଗୁଣା ୧୦୦, ୪ ଗୁଣା ୪୦୦ ମିଟର ରିଲେ ଏବଂ ୪ ଗୁଣା ୪୦୦ମିଟର ମିକ୍ସଡ୍‌ ରିଲେ ଆଦି ୨୪ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଚାମ୍ପିଅନସିପରୁ ଚୀନ୍‌ ଚେଙ୍ଗଡୁରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା -୨୦୨୨ ପାଇଁ ଖେଳାଳି ଚୟନ କରାଯିବ। ଏହି ଚାମ୍ପିଅନସିପ୍‌ରେ ପ୍ରତ୍ୟକ ବିଭାଗର ଶ୍ରେଷ୍ଠ ୮ କ୍ରୀଡ଼ାବିତ୍‌ ବାଙ୍ଗାଲୋରଠାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୨ ପାଇଁ ଯୋଗ୍ୟ ବିବେଚିତ ହେବେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଲାମାରୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏଲ୍‌.ବି. ଲକ୍ଷ୍ମୀକାନ୍ତ, କୋଟାୟାମ୍‌ ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ତଥା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୨ ଚୟନ କମିଟି ଅଧ୍ୟକ୍ଷ ଡ. ବିନୁ ଜର୍ଜ ଭର୍ଗିସ୍‌, ଦ୍ରୌଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ସାଇର ବରିଷ୍ଠ କୋଚ୍‌ ନାଗପୁରି ରମେଶ, ଓସମାନିଆ ବିଶ୍ୱବିଦ୍ୟାଳୟ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର, ଭାରତୀୟ ବିଶ୍ୱବିଦ୍ୟାଳୟ ଆଥଲେଟିକ୍‌ ଚିମ୍‌ ଚୟନ କମିଟି ସଦସ୍ୟ ସଞ୍ଜୟ ଗଡନାୟକ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.