କିଟ୍‌ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ: ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ବିକାଶ ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ: ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜ୍ଞାନ ବିପ୍ଳବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍‌ୱତନ୍ତ୍ର ରୂପ ଦେଇଥାଏ । ବତ୍ତମାନର ଜ୍ଞାନ ଯୁଗ ନୂତନ ସର୍ଜ୍ଜନା ଓ ଚିନ୍ତାଧାରାକୁ ପୁରସ୍କୃତ କରିଥାଏ । ଛାତ୍ରମାନଙ୍କ ଉଦ୍ଦେଶ୍ଯରେ ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ସମୟରେ ବିଶ୍ୱର ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ଭାରତ କ୍ଷୀପ୍ର ଗତିରେ ଯୋଗଦାନ କରିଚାଲିଛି ।

ଆମ ଦେଶର ଯୁବକମାନେ ଏହି ଷ୍ଟାର୍ଟଅପ୍‌ ଆନ୍ଦୋଳନକୁ ନେତୃତ୍ୱ ଦେଉଛନ୍ତି । ତୁମେମାନେ ଦେଶର ପରବର୍ତ୍ତୀ ନେତୃତ୍ୱ । ତୁମର ଭବିଷ୍ଯତ ଦେଶର ଭବିଷ୍ଯତ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଦେଶକୁ ଏକ ନୂତନ ରୂପରେଖ ଦେବା ପାଇଁ ତୁମମାନଙ୍କ ପାଇଁ ଏକ ସୁଯୋଗ ରହିଛି । ମୁଁ ନିଶ୍ଚିତ, କିଟ୍ର ଛାତ୍ରଛାତ୍ରୀମାନେ ସେମାନଙ୍କ ସର୍ଜନା ଓ ନୂତନ ଚିନ୍ତାଧାରା ବଳରେ ସମାଜ ଗଠନରେ ସହାୟକ ହେବେ । କିଟ୍‌ ତାର ରୌପ୍ଯ ଜୟନ୍ତୀ ଅବସରରେ ୧୮ତମ ସମାବର୍ତ୍ତନ ପାଳନ କରୁଛି ।

ଗତ ୨୫ବର୍ଷ ମଧ୍ୟରେ ଦେଶର ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ କିଟ୍‌ ନିଜର ଏକ ସ୍‌ୱତନ୍ତ୍ର ସ୍ଥାନ ତିଆରି କରିପାରିଛି । ଅଳ୍ପ ସମୟ ମଧ୍ୟରେ କିଟ୍‌ ଆମେରିକାର ଆବେଟ୍‌ ସ୍‌ୱୀକୃତି ସହ ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ସ୍‌ୱୀକୃତି ଲାଭ କରିପାରିଛି । ଶିକ୍ଷା ସହ କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ମଧ୍ୟ କିଟ୍ର ଉଲ୍ଲେଖନୀୟ ଅବଦାନ ରହିଆସିଛି । ଶିକ୍ଷା କ୍ଷେତ୍ରରେ ଅସମାନତା ଦୂର କରିବାରେ କିଟ୍ର ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମୁଖ୍ଯମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.