ଦୁଇ ମାସ ଭିତରେ ଓଡ଼ିଶାରେ ନିଯୁକ୍ତ ହେବେ ଲୋକାୟୁକ୍ତ : ସୁପ୍ରିମ୍‌କୋର୍ଟ ଦେଲେ ସମୟ

lokayukta billଭୁବନେଶ୍ବର : ଲୋକାୟୁକ୍ତ ବିଲ୍‌ ପାସ୍‌ କରିବାରେ ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । କିନ୍ତୁ ନିଯୁକ୍ତିରେ ବିଳମ୍ବ ଯୋଗୁ ତାଗିଦ୍‌ କରିଥିଲେ ସୁପ୍ରିମକୋର୍ଟ । ଆଜି ସତ୍ୟପାଠ ଦାଖଲ କରିଥିଲେ ସରକାର । ସୁପ୍ରିମ୍‌କୋର୍ଟ ଲୋକୟୁକ୍ତ ନିଯୁକ୍ତି ପାଇଁ ଦୁଇ ମାସ ସମୟ ଦେଇଛନ୍ତି । ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ବିଜ୍ଞପ୍ତି ଅନୁସାରେ ଗଠନ ହେବ ସର୍ଚ୍ଚ କମିଟି । ଏହି କମିଟି ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରି ସିଲେକ୍ଟ କମିଟିକୁ ପଠାଇବ । ଚୂଡ଼ାନ୍ତ ତାଲିକା ସ୍ଥିର କରିବ ସିଲେକ୍ଟ କମିଟି । ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବାଚସ୍ପତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଜ୍‌ ଓ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ବିଚାରକ ସିଲେକ୍ଟ କମିଟିରେ ରହିବେ ।

ଲୋକାୟୁକ୍ତ ଆଇନ ଅନୁଯାୟୀ- ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀ, ଜିଲ୍ଲା ପରିଷଦ, ବ୍ଲକ ଓ ମ୍ୟୁନିସିପାଲଟି ଅଧ୍ୟକ୍ଷ, ସରକାରୀ ଅନୁଦାନରେ ଚାଲୁଥିବା ଟ୍ରଷ୍ଟ ଏବଂ ଏନ୍‌ଜିଓ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ, ଲୋକାୟୁକ୍ତ ତଦନ୍ତ କରିବେ । ତେବେ ଏହି ତଦନ୍ତ ଭିଜିଲାନ୍ସ କିମ୍ବା କ୍ରାଇମ୍‌ବ୍ରାଞ୍ଚ୍‌ କରିବ । ଆବଶ୍ୟକ ସ୍ଥଳେ ଲୋକାୟୁକ୍ତ ୯୦ ଦିନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପତ୍ତି ଆଟାଚ୍‌ କରିପାରିବେ । ସରକାରୀ ଅଧିକାରୀ ଦୁର୍ନୀତିରେ ସଂପୃକ୍ତି ରହିଲେ, ତାଙ୍କୁ ବଦଳି କିମ୍ବା ନିଲମ୍ବନର କରିବାର କ୍ଷମତା ଲୋକାୟୁକ୍ତଙ୍କର ରହିବ । ଯଦି କାହା ଅଭିଯୋଗ ମିଥ୍ୟା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ମଧ୍ୟ ଦଣ୍ଡ ବିଧାନ ହୋଇପାରିବ ।

ଲୋକାୟୁକ୍ତ ଅଧ୍ୟକ୍ଷ ହେବା ପାଇଁ ବୟସ ସୀମା ୫୦ରୁ ଅଧିକ ହେବା ଦରକାର । ସେ ଓଡ଼ିଶା ହାଇକୋର୍ଟର ଜଣେ କାର୍ଯ୍ୟରତ କିମ୍ବା ଅସବସରପ୍ରାପ୍ତ ବିଚାରପତି ହୋଇଥିବେ । କମିଟିରେ ଦୁଇ ଜଣ ଜୁଡିସିଆଲ ଓ ୩ ଜଣ ନନ୍‌ ଜୁଡ଼ିସିଆଲ ମେମ୍ବର ରହିବେ । ୨୦୧୩ରେ ସଂସଦରେ ଲୋକପାଳ ଓ ଲୋକାୟୁକ୍ତ ବିଲ୍‌ ପାସ୍‌ ହୋଇଥିଲା । ୨୦୧୪ରେ ମିଳିଥିଲା ରାଷ୍ଟ୍ରପତିଙ୍କ ମଂଜୁରୀ । ସେହିପରି ୨୦୧୪ରେ ଓଡ଼ିଶାରେ ଲୋକାୟୁକ୍ତ ବିଲ୍‌ ପାସ ହେଲା । କିନ୍ତୁ ନା କେନ୍ଦ୍ରରେ ଲୋକପାଳ ନା ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ହୋଇ ପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.