ରଙ୍ଗ କଳା ଏବଂ ଅସୁନ୍ଦରୀ ବୋଲି ସ୍ବାମୀ କରିଦେଲା ପର, ୬ବର୍ଷର କୁନି ଝିଅକୁ ଧରି ଏବେ ଧାରଣାରେ ସ୍ତ୍ରୀ

ଜଳେଶ୍ବର(କେନ୍ୟୁଜ): ଦେହର ରଙ୍ଗ କଳା ଏବଂ ଦେଖିବାକୁ ଅସୁନ୍ଦରୀ ବୋଲି ସ୍ବାମୀ କରିଦେଲା ପର। ମାଡ ମାରି ଘରୁ ବାହାର କରି ଦେବା ପରେ ଏବେ ୬ବର୍ଷର କୁନି ଝିଅକୁ ଧରି ଘର ସମ୍ମୁଖରେ ଦିନରାତି ଭୋକ ଉପାସରେ ବସି ରହିଛନ୍ତି ସ୍ତ୍ରୀ। ଏଭଳି ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ତାଡଦା ଗ୍ରାମରେ।

ସୂଚନା ଅନୁଯାୟୀ ତାଡଦା ଗ୍ରାମର ଚନ୍ଦନ ଦାସ ୨୦୧୩ ମସିହାରେ ବସ୍ତା ଥାନା ଅନ୍ତର୍ଗତ ଜନ୍ତିକାପାଳ ଗ୍ରାମର ଜ୍ଯୋତ୍ସ୍ନା ଦାସଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ। ମାତ୍ର ଜ୍ଯୋତ୍ସ୍ନାଙ୍କ ଦେହର ରଙ୍ଗ କଳା ଏବଂ ଦେଖିବାକୁ ଅସୁନ୍ଦର ହୋଇଥିବାରୁ ବିବାହ ପରଠୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ବିଭିନ୍ନ ସମୟରେ ଝଗଡା ଲାଗିବା ସହ ଚନ୍ଦନ ଜ୍ଯୋତ୍ସ୍ନାଙ୍କୁ ନିସ୍ତୁକ ପିଟୁଥିଲେ। ଏନେଇ ସିଂଲା ଥାନା ରେ ଅଭିଯୋଗ ହେବା ସହ ବିଭିନ୍ନ ସମୟରେ ସମାଧାନ ମଧ୍ଯ ହୋଇଥିଲା। ମାତ୍ର ଚନ୍ଦନ କୌଣସି କଥା ନଶୁଣି ପୂର୍ବଭଳି ଜ୍ଯୋତ୍ସ୍ନାଙ୍କୁ ନିର୍ଯ୍ଯାତନା ଦେଇ ଆସୁଥିଲେ। ତେବେ ବୋଝ ଉପରେ ନଳିତା ବିଡା ପଡିଲା ଭଳିଆ ବିବାହର ଦୁଇ ବର୍ଷ ପରେ ଜ୍ଯୋତ୍ସ୍ନାଙ୍କ ଔରସରୁ ଝିଅ ଟିଏ ଜନ୍ମ ହୋଇଥିଲା। ଆଉ ଝିଅର ରଙ୍ଗ ମଧ୍ଯ କଳା ହୋଇଥିବାରୁ ଶାଶୁ ଘର ଲୋକ ଏବଂ ସ୍ବାମୀଙ୍କ ରୋଷର ଶିକାର ହୋଇଥିଲେ ଜ୍ଯୋତ୍ସ୍ନା।

ସେହି ଦିନ ଠୁ ଆରମ୍ଭ ହୋଇ ଥିଲା ଅମାନୁଷିକ ଶାରୀରିକ ଏବଂ ମାନସିକ ନିର୍ଯ୍ଯାତନା।ଏମିତିକି ଗାଁ ଦାଣ୍ତରେ ମା ଝିଅ ଙ୍କୁ ଗୋଡାଇ ଗୋଡାଇ ମାଡ ମାରୁଥିବାର କଥା ମଧ୍ଯ ଗ୍ରାମବାସୀଙ୍କଠୁ ଶୁଣିବାକୁ ମିଳିଛି। ଏମିତିକି ତାଙ୍କୁ ଖାଇବା ପିଇବା କୁ ମଧ୍ଯ ଦେଉ ନଥିଲେ। ତେବେ ଗତ ଗଣେଶ ପୂଜା ଦିନ ଜ୍ଯୋତ୍ସ୍ନାଙ୍କ ୬ବର୍ଷର ଝିଅ ଦିପାଲିଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀଙ୍କ ସହାୟତାରେ ଝିଅ କୁ ନେଇ ବହୁ କଷ୍ଟରେ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲେ।, ତେବେ ଝିଅର ଦେହ ସୁସ୍ଥ ହେବାପରେ ଜ୍ଯୋତ୍ସ୍ନା ଝିଅକୁ ଧରି ଘରକୁ ଫେରିଥିଲେ। ମାତ୍ର ଘରେ ପହଞ୍ଚିବା ପରେ ଜ୍ଯୋତ୍ସ୍ନା ଙ୍କ ସ୍ବାମୀ ତାଙ୍କୁ ଘରକୁ ଯିବା କୁ ନ ଦେଇ ଗେଟ୍ ରେ ତାଲା ପକାଇ ଦେଇଥିଲେ।

ଏହାପରେ କୌଣସି ଉପାୟ ନପାଇ ଦୁଇ ଦିନ ହେବ ଉଭୟ ମା ଝିଅ ଅଖିଆ ଅପିଆ ଗେଟ୍ ସମ୍ମୁଖରେ ବସିଛନ୍ତି। ରାତିରେ ଭୟ ଲାଗିବାରୁ ଘର ନିକଟରେ ଥିବା ଶିବ ମନ୍ଦିରରେ ଆଶ୍ରୟ ନେଇଥିଲେ । ଆଉ ସକାଳୁ ମା ଝିଅ ଶିବ ମନ୍ଦିର ରୁ ଆସି ଘରକୁ ପଶିବା ପାଇଁ ଚେଷ୍ଟା କରିବାରୁ ଚନ୍ଦନ ତାଙ୍କୁ ମାଡ ମାରିବା ସହିତ ଘର ଗେଟ୍ ରେ ତାଲା ପକାଇ ପଳାଇ ଯିବା ସହିତ ସେ ତାଙ୍କୁ ଘରକୁ ପୁରାଇ ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି। ଲଜ୍ଜାର କଥା ଆଜିକା ଦିନରେ ବି ରହିଛି କଳା ଗୋରା ଭେଦଭାବ। ଏଭଳି କୁତ୍ସିତ ମାନସିକତା ରଖୁଥିବା ମଣିଷକୁ ଯେତେ ଦଣ୍ଡ ଦେଲେ ବି କମ୍ ପଡିବ। ତେବେ କୁନି ଝିଅକୁ ଧରି କାନ୍ଦି କାନ୍ଦି ନ୍ଯାୟ ଅପେକ୍ଷାରେ ଜ୍ଯୋତ୍ସ୍ନା। ଦେଖାଯାଉ ଏଦିଗରେ କି ପଦକ୍ଷପ ନେଉଛି ପ୍ରଶାସନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.