ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଅସମାହିତ ପ୍ରଶ୍ନ, ଆଜି ପରିବାର ଲୋକଙ୍କ ଠାରୁ  ତଦନ୍ତ ସାରି ଫେରିଛି ମଞ୍ଚେଶ୍ବର ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ସିଲଭର ସ୍କ୍ରିନର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ାଙ୍କ ଦୁଃଖଦ ଅନ୍ତକୁ ନେଇ ଉଠିଛି ନାନା ଅସମାହିତ ପ୍ରଶ୍ନ । ଆଜି ଥିଲା ତାଙ୍କର ବିବାହ ବାର୍ଷିକୀ । ହେଲେ ଏହାର ଦିନକ ପୂର୍ବରୁ ଜୀବନ ହାରିଦେଲେ ରାଇମୋହନ । ବେଶ ହସଖୁସିରେ ଥିବା ରାଇମୋହନ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ? ଏ ପ୍ରଶ୍ନ ସମସ୍ତଙ୍କ ମୁହଁରେ । କିଛି ପାରିବାରିକ ବିବାଦ ଥିଲା କି ? ନା ବୃତ୍ତିଗତ ସମସ୍ୟା ଥିଲା ? ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ କି ରାଇମୋହନ ? ମାନସିକ ଅବସାଦଗ୍ରସ୍ତ ଥିଲେ କି ? ଗତକାଲି ଘରେ ଏକୁଟିଆ ଥିଲେ ରାଇମୋହନ । ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ପ୍ରଥମେ କିଏ ଦେଖିଥିଲେ ? ତାଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ ମିଳିଛି କି ? ଏସବୁ ଦିଗରେ ପୋଲିସ ତଦନ୍ତ ଚଳାଇଛି । ଆଜି ରାଇମୋହନଙ୍କ ପ୍ରାଚୀ ବିହାର ଘରେ ତଦନ୍ତ କରିଛି ପୋଲିସ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ।

ରାଇମୋହନଙ୍କ ବିୟୋଗରେ ଓଲିଉଡ୍‌ ଓ ଜଲିଉଡ୍‌ ସ୍ତବ୍ଧ । ସହ-କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଫ୍ୟାନ୍‌ ତାଙ୍କୁ ଝୁରୁଛନ୍ତି । ରିଲ୍‌ରେ ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେ ବେଶ ସରଳ ଓ ସାଦାସିଧା ଥିଲେ । ଭୁବନେଶ୍ୱର ୪ ନମ୍ବର ଖଟିରେ ପ୍ରତିଦିନ ସାଥୀ କଳାକାରଙ୍କ ସହ ସମୟ ବିତାଇ ଥାଆନ୍ତି ରାଇମୋହନ । ରାଇମୋହନଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତେ । ରହସ୍ୟଜନକ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ।

ଝିଅ ମୋବାଇଲ ଫୋନକୁ ଶେଷ ମେସଜରେ ଗୁଡ୍‌ ବାଏ ଲେଖିଥିଲେ ରାଇମୋହନ । ଏହାପରେ ଗତକାଲି ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶହେରୁ ଅଧିକ ଓଡ଼ିଆ ସିନେମାରେ ରାଇମୋହନ ବଳିଷ୍ଠ ଅଭିନୟର ଛାପ ଛାଡ଼ିଯାଇଛନ୍ତି। ବହୁ ଟିଭି ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି। ୨୦୦୨ରୁ ସେ ଯାତ୍ରା ଜଗତ ସହ ଯୋଡ଼ି ହୋଇଥିଲେ। ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.