୨୪ ଘଣ୍ଟା ଯାଏ ରାଜ୍ୟର ଅନେକ ଜିଲ୍ଲାରେ ତାତିରୁ ନାହିଁ ନିସ୍ତାର

କେନ୍ୟୁଜ୍(ବ୍ୟୁରୋ): ଆହୁରି ଦୁଇ ଦିନ ସିଝାଇବ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ଅନେକ ଜିଲ୍ଲାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ୨-୩ ଡିଗ୍ରୀ ଯାଏ ତଳକୁ ଖସିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ମୌସୁମୀ ଦୁର୍ବଳ ଯୋଗୁ ବର୍ଷା ପରିମାଣ କମିବା ସହ ଦିନର ତାପମାତ୍ରା ବଢୁଛି ।

ଆଜି ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ମୌସୁମୀ ଦୁର୍ବଳ ହେବା ପରେ ରାଜ୍ୟରେ କମିଛି ବୃଷ୍ଟିପାତ । ଅଗଷ୍ଟରେ ଏବର୍ଷ ଓଡ଼ିଶାରେ ଭଲ ବର୍ଷା ନାହିଁ । ନିଅଣ୍ଟିଆ ସ୍ଥିତି ଦେଖାଦେବ । ସ୍ୱାଭାବିକଠାରୁ କମ୍‌ ରହିବ ବର୍ଷା ପରିମାଣ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଜୁନ୧ରୁ ଅଗଷ୍ଟ ୧ ମଧ୍ୟରେ ରାଜ୍ୟରେ ୯ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ୫୬୦ ମିମି ବର୍ଷା ରହିଥିବା ବେଳେ ଏପର୍ଯ୍ୟନ୍ତ ୫୧୨ମିମି ବର୍ଷା ହୋଇଛି । ୨ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୨୩ଟି ଜିଲ୍ଲାରେ ସ୍ୱାଭାବିକ ଓ ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

Leave A Reply

Your email address will not be published.