ଭଗବାନଙ୍କ କୃପା ନୁହେଁ ତ ଏ କଣ : ଦୀର୍ଘ ୧୧ ବର୍ଷ ପରେ ନିଜ ମାଟିକୁ ଫେରିଲେ ଭଗବତୀ 

କଟକ(କେନ୍ୟୁଜ୍): ଖୋଜି ଖୋଜି ଆଖିରୁ ଲୁହ ଶୁଖି ଆସିଥିଲା । ପରିବାର ଲୋକଙ୍କ ମନ କହୁଥିଲା ଆଉ ସେ ଫେରିବେ ନାହିଁ । ବର୍ଷେ କି ଦୁଇ ବର୍ଷ ନୁହେଁ ଆଜ୍ଞା, ଦୀର୍ଘ ୧୧ ବର୍ଷ ତଳେ ଘରୁ କୁଆଡେ ପଳେଇ ଯାଇଥିଲେ । ହେଲେ ଭଗବାନଙ୍କ କ୍ରୁପାରୁ ୧୧ ବର୍ଷ ପରେ ନିଜ ମା ଓ ମାଟିକୁ ଫେରିଛନ୍ତି । ପରିବାର ଲୋକଙ୍କ ମୁଁହରେ ହସ ଫୁଟି ଉଠିଛି ।

ଆଜିକୁ ୨୨ ବର୍ଷ ତଳର ଘଟଣା । ୨୦୦୦ ମସିହାରେ କେନ୍ଦ୍ରାପଡା ରାଜକନିକାର ଶରତ ଚନ୍ଦ୍ର ବିଶ୍ୱାଳ ବୈଦିକ ରୀତି ନୀତି ଅନୁସାରେ ଭାଗିରଥି ବେହୁରା ଓ ବେଲଦେଇ ବେହୁରାଙ୍କ ଝିଅ ଭଗବତୀ ବେହୁରାଙ୍କୁ ବିବାହ କରିଥିଲେ । ସବୁ କିଛି ଯାହା ଯେମିତି ଚାଲିଥିଲା । ଏଗାର ବର୍ଷ ଭିତରେ ଶରତ ଓ ଭଗବତୀଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ମଧ୍ଯ ହେଲା । ତେବେ ୨୦୧୧ ମସିହା ଅକ୍ଟୋବର ମାସ ୨୭ ତାରିଖ ସନ୍ଧ୍ୟା ସମୟର କଥା। ହଠାତ୍ ଭଗବତୀ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ପରିବାର ଲୋକେ ଭଗବତୀଙ୍କୁ ପାଇନଥିଲେ । ଏନେଇ ପରିବାର ଲୋକ ରାଜକନିକା ଥାନାରେ ଭଗବତୀଙ୍କ ନିରୁଦ୍ଧିଷ୍ଟକୁ ନେଇ ଏକ ଏତଲା ଦିଆଯାଇଥିଲା । କିନ୍ତୁ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ଭଗବତୀଙ୍କ କୌଣସି ସନ୍ଧାନ ପାଇନଥିଲା ।

ତେବେ ସିକିମରେ ଇନ୍ସପେୟାଡ଼ ହ୍ୟୁମାନ ଫାଉଣ୍ଡେସନ ଭଗବତୀଙ୍କୁ ଅସୁସ୍ଥ ଅବସ୍ଥାରେ ସିକିମରେ ଉଦ୍ଧାର କରିଥିଲେ। ସେହି ସମୟରେ ଭଗବତୀ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ । ଏହାପରେ ସେଠାରେ ଏକ ସ୍ଥାନୀୟ ହସ୍ପିଟାଲରେ ଇନ୍ସପେୟାଡ଼ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ତାଙ୍କର ଚିକିତ୍ସା କରାଯାଇଥିଲା । ତେବେ ଭଗବତୀ ସୁସ୍ଥ ହେବା ପରେ ସେ ତାଙ୍କର ପରିଚୟ ଫାଉଣ୍ଡେସନକୁ ଦେଇଥିଲେ । ଇନ୍ସପେୟାଡ଼ ହ୍ୟୁମାନ ଫାଉଣ୍ଡେସନ ଫେସବୁକ ମାଧ୍ୟମରେ କେନ୍ଦ୍ରାପଡ଼ା ରଜକନିକାର ସଂଯୋଗ ଫାଉଣ୍ଡେସନକୁ ଯୋଗାଯୋଗ କରିଥିଲେ । ଭଗବତୀଙ୍କ ବିଷୟରେ ସଂଯୋଗ ଫାଉଣ୍ଡେସନକୁ ସବୁ କିଛି ଜଣାଇଥିଲେ ।ସଂଯୋଗ ଫାଉଣ୍ଡେସନ ଭଗବତୀ ସିକିମରେ ଅଛନ୍ତି ବୋଲି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା । ଶେଷରେ ଦୁଇ ଫାଉଣ୍ଡେସନଙ୍କ ସହଯୋଗରେ ଭଗବତୀଙ୍କୁ ପରିବାର ଲୋକେ ପାଇବାରେ ସଫଳ ହୋଇଥିଲେ । ଭଗବତୀ ଏବେ କଟକରେ ନିଜ ମା ,ବାପା ଓ ଭାଇଙ୍କ ପାଖରେ।

ଭଗବତୀ ଫେରିବା ପରେ ପରିବାରରେ ହସର ଲହରୀ ଖେଳିଯାଇଛି । ୧୧ ବର୍ଷ ପରେ ନିଜ ମାକୁ ପାଇ ତିନି ଝିଅ ଓ ପୁଅ ଆତ୍ମ ବିଭୋର ହୋଇପଡ଼ିଛନ୍ତି । ସିକିମର ଇନ୍ସପେୟାଡ଼ ହ୍ୟୁମାନ ଫାଉଣ୍ଡେସନ ଓ କେନ୍ଦ୍ରାପଡ଼ାର ସଂଯୋଗ ଫାଉଣ୍ଡେସନକୁ ଏଭଳି ମହାନ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ଭଗବତୀଙ୍କ ପରିବାର ଲୋକ।

କଟକରୁ ବିଭୁ ପ୍ରସାଦ ସ୍ୱାଇଁଙ୍କ ରିପୋର୍ଟ, କେନ୍ୟୁଜ୍ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.