ଶ୍ରୀକ୍ଷେତ୍ରରେ ଆଜି ନବଯୌବନ ଦର୍ଶନ : ୧୪ଦିନ ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଶ୍ରୀଜିଉଙ୍କ ନବ ଯୌବନ ବେଶ ଦର୍ଶନ ବେଳେ ଆଜି ହେଉଛି ନେତ୍ରୋତ୍ସବ । ୧୪ ଦିନର ଅଣସର ପରେ ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୩ ଘଣ୍ଟା ଧରି ନବଯୌବନ ଦର୍ଶନ ଚାଲିବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ନୀତି ନିର୍ଘଣ୍ଟ ଅନୁଯାୟୀ ଭୋରରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ଓ ମଙ୍ଗଳ ଆଳତି ଶେଷ ହୋଇଛି। ଏବେ ଚାଲିଛି ଶ୍ରୀଜିଉଙ୍କର ଅବକାଶ ନୀତି । ଏହାପରେ ସକାଳ ୮ଟାରୁ ୯ଟା ଯାଏ ପରମାଣିକ ବା ଟିକେଟ ଦର୍ଶନ ଚାଲିବ । ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ଦିନ ସାଢ଼େ ୧୨ଟାରେ ନେତ୍ରୋତ୍ସବ ବନ୍ଦାପନା କରାଯିବ । ସେହିପରି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଗୋପାଳ ବଲ୍ଲଭ ଧୂପ ଓ ସକାଳ ଧୂପ ହେବ । ଅପରାହ୍ଣ ୪ଟା ୧୦ରେ ରଥ ଆଜ୍ଞାମାଳ ବିଜେ, ରାତି ୭ଟା ୩୦ରେ ସଂଧ୍ୟା ଆଳତି ଓ ରାତି ୧୦ଟାରେ ଚନ୍ଦନ ଲାଗି ନୀତି ନିର୍ଘଣ୍ଟ କରାଯାଇଛି । ନବଯୌବନ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାରେ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.