ସୋସିଆଲ୍ ମିଡିଆର ନୂଆ ହିରୋ ନବୀନ : ହକି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶଂସା

naveen patanaik

ଭୁବନେଶ୍ବର :

ହକିକୁ ଜାତୀୟ ଖେଳର ମାନ୍ୟତା ବିଜ୍ଞପ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ହକି ଜାତୀୟ ଖେଳ ଭାବେ ବିଧିବଦ୍ଧ ମାନ୍ୟତା ପାଇନାହିଁ । ଏହା ସରକାରୀ ରେକର୍ଡରେ ନାହିଁ ବୋଲି ନବୀନ ସ୍ୱଷ୍ଟ କରିଛନ୍ତି । ହକିକୁ ଜାତୀୟ ଖେଳର ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଆବଶ୍ୟକ ପଡ଼ିଲେ ମୋଦିଙ୍କ ସହ ଆଲୋଚନା କରିବେ ବୋଲି ନବୀନ କହିଛନ୍ତି ।

ଅନ୍ୟପଟେ ହକିକୁ ଜାତୀୟ କ୍ରୀଡ଼ା ଭାବେ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିଠିକୁ ନେଇ ଜୋର୍‌ ଚର୍ଚ୍ଚା । ସୋସିଆଲ ମିଡିଆ ଓ ଜାତୀୟ ଗଣମାଧ୍ୟମରେ ପାଲଟିଛି ଶିରୋନାମା । ଏଥିପାଇଁ ଜାତୀୟ ସ୍ତରରେ ବି ନବୀନଙ୍କୁ ପ୍ରଶଂସା କରାଯାଉଛି । କ୍ରୀଡାବିତ୍‌ଙ୍କ ମତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶୀଘ୍ର ଫଳପ୍ରଦ ହୁଅନ୍ତା ।

୨୦୧୨ ମସିହାରେ ପ୍ରଥମେ ସୂଚନା ଅଧିକାର ଆଇନ ବଳରେ ଜଣାପଡିଥିଲା ଯେ ହକିକୁ ଜାତୀୟ କ୍ରୀଡା ଭାବେ ସରକାରୀ ମାନ୍ୟତା ମିଳିନାହିଁ । ଆଗକୁ ଭୁବନେଶ୍ୱରରେ ହକି ବିଶ୍ୱକପ ହେବାକୁ ଥିବା ବେଳେ ଏବେ ନବୀନଙ୍କ ଚିଠିକୁ ନେଇ ପିସିସି ସଭାପତି କହିଛନ୍ତି, ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳିଲେ ଭଲ । ବିଜେପି ପ୍ରଶ୍ନ କରିଛି, ଏବେ କାହିଁକି ମନେପଡ଼ିଲା ? ୨୦୧୨ରୁ ନବୀନ ମନେ ପକାଇଥିଲେ ଭଲ ହୋଇଥାଆନ୍ତା ।

ଓଡ଼ିଶା ସରକାର ପ୍ରଥମ ରାଜ୍ୟ ଭାବେ ୫ ବର୍ଷ ପାଇଁ ଜାତୀୟ ହକି ଟିମ୍‌ର ପ୍ରାୟୋଜକ ହୋଇଛନ୍ତିି । ସେହିପରି ହକିର ଉନ୍ନତି ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ତେବେ ହକିକୁ ଜାତୀୟ ଖେଳର ମାନ୍ୟତା ନେଇ କୌଣସି ବିଧିବଦ୍ଧ ଘୋଷଣାର ଆବଶ୍ୟକତା ନାହିଁ । ବିଧିବଦ୍ଧ ଘୋଷଣା ନହେଲେ ବି ହକି ଆମର ଜାତୀୟ କ୍ରୀଡ଼ା । ହକି ପ୍ରତି ସାରା ଦେଶର ଭଲ ପାଇବା ଅଛି । ତେଣୁ ଏଥି ଲାଗି ଘୋଷଣା ଦରକାର ନାହିଁ । ହକିକୁ ଜାତୀୟ ଖେଳ ମାନ୍ୟତା ବିଜ୍ଞପ୍ତି ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ହକିକୁ ପ୍ରାଥମିକତା ଦିଆଯାଉଛି ବୋଲି ରାଜ୍ୟବର୍ଦ୍ଧନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.