ନୂଆଦିଲ୍ଲୀ : ସୁଷମାଙ୍କ ସମର୍ଥନରେ ନବୀନ । ସୋସିଆଲ୍ ମିଡିଆରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ବଢୁଥିବା ଅସହିଷ୍ଣତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ନବୀନ ଟ୍ଵିଟ୍ କରି ଲେଖିଛନ୍ତି, ସୋସିଆଲ ମିଡିଆ ଜରିଆରେ ଦେଶର ସେବା କରୁଛନ୍ତି ସୁଷମା । ସାଧାରଣ ଲୋକଙ୍କ ପାଇଁ କାମ କରୁଛନ୍ତି । ତାଙ୍କ ପ୍ରତି ଅସୌଜନ୍ୟ,ବିଷୋଦ୍ଗାରକୁ ଦୃଢ଼ ନିନ୍ଦା କରୁଛନ୍ତି ବୋଲି ଲେଖିଛନ୍ତି ନବୀନ । ଲକ୍ଷ୍ନୌରେ ଜଣେ ପାସ୍ପୋର୍ଟ ଅଧିକାରୀଙ୍କ ବଦଳିକୁ ନେଇ କିଛିଦିନ ହେଲା ସୋସିଆଲ୍ ମିଡିଆରେ ଓ୍ଵାର୍ ଚାଲିଛି । ଟ୍ଵିଟର୍ରେ ସୁଷମା ସ୍ୱରାଜ ଟ୍ରୋଲ୍ଙ୍କ ଜୋର୍ଦାର୍ ଆକ୍ରମଣର ଶିକାର ହୋଇଛନ୍ତି । କିଛିଦିନ ତଳେ ଲକ୍ଷ୍ନୌରେ ଜଣେ ହିନ୍ଦୁ-ମୁସଲିମ୍ ଦମ୍ପତିଙ୍କ ପାସ୍ପୋର୍ଟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଅଭିଯୋଗ ହୋଇଥିଲା, ଆବେଦନ ବେଳେ ପାସପୋର୍ଟ ସେବା କେନ୍ଦ୍ର ଅଧିକାରୀ ବିକାଶ ମିଶ୍ର ସେହି ଦମ୍ପତିଙ୍କୁ ଅପମାନିତ କରିଥିଲେ । ଜଣେ ହିନ୍ଦୁ ହୋଇ କାହିଁକି ମୁସଲିମ୍ ଯୁବକଙ୍କୁ ବିବାହ କଲେ ବୋଲି ମହିଳାଙ୍କୁ ପ୍ରଶ୍ନ କରିଥିଲେ ବିକାଶ ମିଶ୍ର । ଏନେଇ ଦମ୍ପତି ଅଭିଯୋଗ କରିବା ପରେ ପାସପୋର୍ଟ ଅଧିକାରୀ ବିକାଶ ମିଶ୍ରଙ୍କୁ ବଦଳି କରାଯାଇଥିଲା । ଏହାପରେ ଟ୍ଵିଟର୍ ଟ୍ରୋଲ୍ଙ୍କ ଟାର୍ଗେଟ୍କୁ ଆସିଥିଲେ ସୁଷମା ସ୍ୱରାଜ । ସେହିପିରି I Support Bikask Mishra ନାଁରେ ଟ୍ଵିଟର୍ରେ ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା । ଏହାପରେ ସୁଷମାଙ୍କ ସମର୍ଥନରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ରାମବିଳାଶ ପାଶଓ୍ଵାନ ପ୍ରମୁଖ ଆଗକୁ ଆସିଥିଲେ । ସମର୍ଥନରେ କରିଥିଲେ ଟ୍ଵିଟ୍ । ଏବେ ନବୀନ ପଟ୍ଟନାୟକଙ୍କ ସୁଷମାଙ୍କ ପାଇଁ ଆଗକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ବିଷୋଦ୍ଗାରକୁ ନବୀନ ଦୃଢ଼ ନିନ୍ଦା କରିଛନ୍ତି ।