ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ହକିକୁ ଜାତୀୟ କ୍ରୀଡ଼ା ଭାବେ ମାନ୍ୟତା ଦେବା ପାଇଁ ଦାବି

ଭୁବନେଶ୍ବର : ହକି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ହକି ବିଶ୍ୱକପ ପୂର୍ବରୁ ସେ ଏହି ଚିଠି ଲେଖିଛନ୍ତି । ଜାତୀୟ କ୍ରୀଡ଼ା ଭାବେ ହକିକୁ ମାନ୍ୟତା ନେଇ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ଜାରି କରିବାକୁ ନବୀନ ଚିଠିରେ ଦାବି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ୧୯୪୮ରେ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍‌ ଗ୍ରେଟ୍‌ ବ୍ରିଟେନକୁ ହରାଇ ସ୍ୱର୍ଣ୍ଣ ପଦକ ପାଇଥିଲା । ଏପରିକି ୧୯୪୮ ପୂର୍ବରୁ ବିଭିନ୍ନ ସମୟରେ ଗ୍ରେଟ୍‌ ବ୍ରିଟେନ ପରାଜୟ ଭୟରେ ଭାରତୀୟ ହକି ଟିମ୍‌ ସହ ମ୍ୟାଚ୍‌ ଖେଳିବାକୁ ପଛଘୁଞ୍ଚା ଦେଉଥିଲା । ହକି ଟିମ୍‌ ବିଜୟରେ କୋଟିକୋଟି ଭାରତୀୟ ଖୁସି ମନାଉଥିଲେ ।

୧୯୮୦ ଯାଏଁ ଅନ୍ତର୍ଜାତୀୟ କ୍ରୀଡ଼ାରେ କେବଳ ହକି ହିଁ ଭାରତକୁ ଦେଇଥିଲା ପରିଚିତ । ହକି ଏକ ଲୋକପ୍ରିୟ ଖେଳ । ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ ହକି ଜୀବନର ଏକ ଅଂଶ ପାଲଟିଛି । ଓଡ଼ିଶା ପ୍ରଥମ ଥର ପାଇଁ ଜାତୀୟ ହକି ଟିମ୍‌ର ୫ ବର୍ଷ ଲାଗି ପ୍ରାୟୋଜକ ହୋଇଛି । ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ପ୍ରତିଯୋଗିତା ହେବ । ତେବେ ଏ ସଂପର୍କିତ ପ୍ରସ୍ତୁତିର ସମୀକ୍ଷା ବେଳେ ହକିକୁ ଜାତୀୟ କ୍ରୀଡ଼ା ଭାବେ ମାନ୍ୟତା ପ୍ରଦାନ ନେଇ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ଜାରି କରାଯାଇନଥିବା ଦୃଷ୍ଟିକୁ ଆସିଛି । ଯାହାକି ଆଶ୍ଚର୍ଯ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଜାତୀୟ କ୍ରୀଡ଼ା ଭାବେ ବିଜ୍ଞପ୍ତ ଜାରି ପାଇଁ ହକି ସବୁ ଦୃଷ୍ଟିରୁ ହକ୍‌ଦାର । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରାଗଲେ ଦେଶ ପାଇଁ ଗୌରବ ଆଣିଥିବା ମହାନ ହକି ଖେଳାଳିମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ । ଯାହାକି ଆଗାମୀ ପିଢ଼ିଙ୍କୁ ହକି ପାଇଁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

Leave A Reply

Your email address will not be published.