ଓଡ଼ିଶା ଆସିପାରନ୍ତି ନୀତିଶ କୁମାର : ନବୀନଙ୍କୁ ଭେଟି କରିବେ ଆଲୋଚନା

(କେନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଏବେ ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ରାହୁଲ ଗାନ୍ଧି, ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ସୀତାରାମ ୟେଚୁରୀଙ୍କ ସମେତ ବହୁ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି । ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍‌ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟି ଆଲୋଚନା କରିଥିଲେ ନୀତିଶ କୁମାର । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ଭେଟିବା ନେଇ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଏସମ୍ପର୍କରେ କିଛି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ନବୀନ-ନୀତିଶଙ୍କ ଏହି ସମ୍ଭାବ୍ୟ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ନୀତିଶ କୁମାର ଏନଡିଏ ମେଣ୍ଟରେ ଥିଲେ । ବିହାରରେ ବିଜେପି ସହ ମିଶି ସରକାର ଗଠନ କରିଥିଲେ । ଏବେ ଏନଡିଏ ସମ୍ପର୍କ ଛିନ୍ନ କରିଛନ୍ତି ନୀତିଶ କୁମାର । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମଦୂରତା ନୀତିରେ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ତେଣୁ ନବୀନ ପଟ୍ଟନାୟକ ଓ ନୀତିଶ କୁମାରଙ୍କ ସମ୍ଭାବ୍ୟ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଚାଲିଛି ।

Leave A Reply

Your email address will not be published.