ଅତ୍ୟଧିକ ସ୍ନାନ ହେତୁ ଅସୁସ୍ଥ ଥିବା ମହାପ୍ରଭୁ ଏବେ ସୁସ୍ଥ, ଗଜପତି ମହାରାଜାଙ୍କୁ ଖବର ଦେଲେ ଦଇତାପତି ସେବାୟତ

ପୁରୀ(କେନ୍ୟୁଜ୍): ସୁସ୍ଥ ହେଲେ ମହାପ୍ରଭୁ । ଅନବସରର ଦ୍ୱାଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ଦଇତାପତି । ଶ୍ରୀଅଙ୍ଗରେ ଲାଗି ପ୍ରସାଦକୁ ଅର୍ପଣ କରାଯାଇଛି । ଏଥିସହ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତ ଗଜପତି । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥିଲା ରାଜପ୍ରସାଦ ବିଜେ ନୀତି । ବର୍ଷତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ପାଟଡ଼ୋର ସହ ଅଣସର ସମୟରେ ଲାଗି ହୋଇଥିବା ଚନ୍ଦନ, କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତାପତି ଓ ପତିମହାପାତ୍ର ସେବାୟତ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ସେମାନେ ଶ୍ରୀନହରରେ ପହଞ୍ଚିବା ପରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ଅର୍ପଣ କରିଥିଲେ । ଏହାପରେ ଶ୍ରୀନହରରେ ରାଜ ପୁରୋହିତଙ୍କ ଦ୍ୱାରା ଶାଢୀ ବନ୍ଧା ଯାଇଥିଲା ।

 

ଆସନ୍ତା ୨୯ରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏପଟେ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବା କାମ ଚାଲିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି, ସେବାୟତ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ଵୟ, ଭକ୍ତଙ୍କ ସୁରକ୍ଷା ଓ ସୁବିଧା, ଟ୍ରାଫିକ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା ହୋଇଛି । ରଥଯାତ୍ରା ବେଳେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଗ୍ରୀନ୍‌ କରିଡୋର ସୃଷ୍ଟି କରାଯିବ । ସୁନା କୂଅରୁ ଆଜି ସନ୍ଧ୍ୟାଧୁପ ପରେ ସୁଦ୍ଧ ସୁଆରଙ୍କ ଘରକୁ ତିନିଗରା ଜଳ ଯିବା ପରେ ସୁଦ୍ଧସୁଆରଙ୍କ ଘରୁ ପ୍ରସ୍ତୁତ ଦିବ୍ୟ ପ୍ରଲେପ ଖଡ଼ି ଆସନ୍ତାକାଲି ସୂର୍ଯ୍ୟସ୍ଥ ପୂର୍ବରୁ ଶ୍ରୀମନ୍ଦିରକୁ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ବିଜେ କରାଯାଇ ମହାପ୍ରଭୁଙ୍କୁ ଲାଗି ହେବ ।

 

Leave A Reply

Your email address will not be published.