ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଶ୍ରେୟାଂସୀ, ରଖିଲେ ମୟୂରଭଞ୍ଜର ଟେକ

କରଞ୍ଜିଆ(କେ.ନ୍ୟୁଜ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏମିତି ଅନେକ ପ୍ରତିଭା ଅଛନ୍ତି ଯାହା ଦେଖି ସାରା ବିଶ୍ୱ ଚକିତ ହେଇଯିବ। ମୟୂରଭଞ୍ଜ ଜିଲ୍ଲାର ଶେଷ ସୀମାନ୍ତରେ ଥିବା ରରୁଆ ବ୍ଲକର ଏକ କୁନି ଝିଅ ଏବେ ରହିଛି ଚର୍ଚ୍ଚାରେ। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଆ କୁନି ଝିଅ ଶ୍ରେୟାଂସୀ ମହାନ୍ତ।

ଶ୍ରେୟାଂସୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଘାଗରାବେଡା ପଞ୍ଚାୟତ ବାଟିସାହି ଗାଁରେ। ୨ ବର୍ଷ ୭ ମାସର କୁନି ଝିଅ ଶ୍ରେୟାଂସୀ ଇଂରାଜୀ ବର୍ଣ୍ଣମାଳା ଏ’ରୁ ଜେଡ୍‌’ ଯାଏ ସ୍ପଷ୍ଟ ଉଚ୍ଚାରଣ କରିବା ସହିତ ବର୍ଣ୍ଣମାଳା ଆଧାରରେ ୧୨ଟି ଫଳ, ୧୦ଟି ପ୍ରାଣୀ, ୭ଟି ଖାଦ୍ୟ, ୮ଟି ରଙ୍ଗ, ସପ୍ତାହର ୫ ଦିନ ଏବଂ ଓଡ଼ିଆ ବର୍ଣ୍ଣମାଳାର ୧୦ଟି ଅକ୍ଷର ସ୍ପଷ୍ଟ ଭାବେ ଚିହ୍ନଟ କରି କହିପାରୁଛି। ଏଣୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌-୨୦୨୨ ପ୍ରଶଂସା ଶୀର୍ଷକରେ ଶ୍ରେୟାଂସୀ ନିଜ ନାମ ଚୂଡାନ୍ତ କରିଛନ୍ତି। ଏହି ଖବର ପାଇଲା ପରେ ବିଭିନ୍ନ ସ୍ଥାନରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଆସୁଛି।

ସୂଚନାଯୋଗ୍ୟ ଯେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିଥିଲେ ଶ୍ରେୟାଂସୀଙ୍କ ବାପା-ମା’। ରେଜିଷ୍ଟ୍ରେସନ କରିବା ପରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ସଂସ୍ଥାରୁ ଏକ ମେଲ ଆସିଥିଲା। ୨୪ ଘଣ୍ଟା ମଧ୍ୟରେ କୁନି ଝିଅ ଶ୍ରେୟାଂସୀର ୨୦ ଭିଡିଓ ଦେବା ପାଇଁ ଏଥିରେ ଉଲ୍ଲେଖ ଥିଲା। ୨୦ ଟି ଭିଡ଼ିଓ ଦେଲା ପରେ ସେ ରେକର୍ଡ ହାତେଇବାରେ ସଫଳ ହେଇଥିଲେ। ଏହି ଖବର କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ବରଂ ଓଡିଶା ପାଇଁ ଗୌରବ ଆଣିଛି। ଶ୍ରେୟାଂସୀ ବାପା-ମା’ଙ୍କ ସହିତ ଦିଲ୍ଲୀରେ ରହୁଛନ୍ତି। ଶ୍ରେୟାଂସୀଙ୍କ ବାପା ITBP ଯବାନ ଭାବେ କାମ କରୁଛନ୍ତି। ମାତ୍ର ୨ ବର୍ଷ ବୟସରୁ ହିଁ ବାପା-ମା’ ଝିଅର ପ୍ରତିଭାକୁ ଚିହ୍ନି ପାରିଥିଲେ।

Leave A Reply

Your email address will not be published.