ଅନେକ ସୁପରହିଟ୍‌ ଓଡ଼ିଆ ଗୀତ ଗାଇଛନ୍ତି ନିର୍ମଳା ମିଶ୍ର, କିଛି ଗୀତର ତାଲିକ ଦେଖି ଜାଣି ନିଅନ୍ତୁ

ଭୁବନେଶ୍ୱର (କେନ୍ୟୁଜ୍‌) : ତାଙ୍କର ଆଉ କିଛି ଓଡ଼ିଆ ଗୀତ ଭିତରେ ଅନୁତାପ ସିନେମାର ନିଦଭରା ରାତି, ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା, ଅଦିନ ମେଘ ଫିଲ୍ମର ଯୋଛନା ଲୁଚନା, ଚିଲିକା ତୀରେର ସୁଲୁସୁଲିଆ ଚୁଲୁବୁଲିଆ ଚଇତି ବାଆ, ଯାଆ ଯାଆରେ ଭାସିଯା ମନ ପବନ ନଉକା, ଶ୍ରୀକୃଷ୍ଣ ରାସଲୀଳାରେ ‘ଚନ୍ଦନ ଚର୍ଚ୍ଚିତ ନୀଳ କଳେବର.., ଅପରିଚିତାରେ ‘ଆଜି ମହୁରୀ ବାଜେ, ଏଇ ଚିକିମିକି ହସେ’, ଘରସଂସାରରେ ପ୍ରଭୁ ପାଦ ତଳେ ପ୍ରଣତି ଢାଳେ, ସପନ ବିଳାସୀ ଆମେ ମିଳନ ପିଆସୀ, ଧରିତ୍ରୀରେ ମୋହନ ହେ ମୋହନ ମନେପଡ଼େ ସେଦିନ, ସ୍ତ୍ରୀ ଫିଲ୍ମରେ ଗଙ୍ଗା ଯେ ଦେଶେ ବହେ, ଯମୁନା ଯେ ଦେଶେ ବହେ, ତୁମ ବିନା ଏଇ ରାତି, କିଏ କାହାରରେ ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକା, ବନ୍ଧନରେ ପୂର୍ଣ୍ଣିମା ଜହ୍ନ ସତେ, । ଏହା ବ୍ୟତୀତ ‘ଫୁଲ ଫୁଟି ମହକିଲା ଲୋ ଭଅଁର ପାଗଳ ହେଲା’ ଭଳି ଅନେକ ଓଡ଼ିଆ ଲଘୁ ସଂଗୀତ ଏବଂ ଭଞ୍ଜ ସଂଗୀତ ମଧ୍ୟ ଗାଇଛନ୍ତି ନିର୍ମଳା ମିଶ୍ର ।

ଓଡ଼ିଆ ସମେତ ଅନେକ ବେଙ୍ଗଲି ଗୀତ ଗାଇ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେଥିପାଇଁ ତାଙ୍କୁ ପଶ୍ଚମବଙ୍ଗରେ ବଙ୍ଗ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା । ନିର୍ମଳା ମିଶ୍ର ଜଣେ ଭଲ କଣ୍ଠଶିଳ୍ପୀ ହେବା ସହ ଜଣେ ଭଲ ମଣିଷ ମଧ୍ୟ ଥିଲେ ବୋଲି ତାଙ୍କ କାମ କରିଥିବା ବ୍ୟକ୍ତିମାନେ କୁହନ୍ତି ।

ନିର୍ମଳାଙ୍କ ବାପା ପଣ୍ଡିତ ମୋହିନୀ ମୋହନ ମିଶ୍ର ଏବଂ ମା ଭବାନୀ ଦେବୀ ତାଙ୍କ ସମୟରେ ଜଣାଶୁଣା ସଂଗୀତକାର ଥିଲେ । ସେହିପରି ତାଙ୍କ ବଡ଼ ଭାଇ ମୁରାରୀ ମୋହନ ମିଶ୍ର ମଧ୍ୟ ଗାୟକ ଥିଲେ । ଏମାନଙ୍କ ପ୍ରଭାବରେ ନିର୍ମଳା ମିଶ୍ର ମଧ୍ୟ ସଂଗୀତ ଦୁନିଆକୁ ଆସିଥିଲେ ।

ତେବେ ତାଙ୍କୁ ଓଡ଼ିଆ ସିନେମାରେ ଗାଇବା ପାଇଁ ପ୍ରଥମେ ସୁଯୋଗ ଦେଇଥିଲେ ପ୍ରଖ୍ୟାତ ଓଡ଼ିଆ ସଂଗୀତକାର ବାଳକୃଷ୍ଣ ଦାଶ । ଶ୍ରୀଲୋକନାଥ ଚଳଚ୍ଚିତ୍ର ପାଇଁ ସେ ପ୍ରଥମ ଗୀତ ଗାଇଥିଲେ ।

ପ୍ରଥମେ ନିର୍ମଳାଙ୍କ ପରିବାରର ଟାଇଟଲ ବା ସାଂଗିଆ ବନ୍ଦୋପଧ୍ୟାୟ ବା ବାନାର୍ଜୀ ଥିଲା । ହେଲେ ତାଙ୍କ ବାପାଙ୍କୁ ଅତିରିକ୍ତ ଭାବେ ‘ମିଶ୍ର’ ଟାଇଟଲ୍‌ ମିଳିବା ପରେ ସେ ନିର୍ମଳା ମିଶ୍ର ହୋଇଗଲେ । ଏଇ ମିଶ୍ର ଟାଇଟଲ୍‌ ଯୋଗୁଁ ତାଙ୍କୁ ଅନେକ ଲୋକ ଓଡ଼ିଆ ବୋଲି ମନେ କରନ୍ତି । ସେ ପ୍ରଦୀପ ଦାସଗୁପ୍ତାଙ୍କୁ ବିବାହ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.