ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧% ବୃଦ୍ଧି, ବଢିଲା GIS ରାଶି

ଭୁବନେଶ୍ବର(କେନ୍ଯୁଜ୍): ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଘୋଷଣା। ମହଙ୍ଗା ଭତ୍ତା ରେ ୧୧%ବୃଦ୍ଧି । ଆକ୍ଟୋବର ଦରମାରେ ବର୍ଦ୍ଧିତ ଭତ୍ତା ମିଳିବା ନେଇ ସୂଚନା ମିଳିଛି ।

ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧%ମହଙ୍ଗା ଭତ୍ତା, DA ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ । ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ,୨୮%ରେ ପହଞ୍ଚିଥିବା ଜଣାପଡିଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧/୭/୨୦୨୧ ରୁ ପିଛିଲା ଭାବରେ ୧୧ %ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ
ମିଳିବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବା ନେଇ ସୂଚନା ମିଳିଛି ।

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ (GIS) ସଂଶୋଧିତ:

ସେହିପରି କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣରେ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କୁ GIS ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି ୫୪୦୦ ଓ ତଦୁର୍ଦ୍ଧ୍ୱ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କ GIS ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।  କର୍ମଚାରୀମାନଙ୍କ ପାଇଁ GIS ଏକ ସାମାଜିକ ସୁରକ୍ଷା ଯୋଜନା । ଚାକିରିରେ ଥିବା ବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।

୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ କିମ୍ବା ତାଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା। ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତାଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ସେହିପରି ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବା ବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ GIS ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ।

 

Leave A Reply

Your email address will not be published.