ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଆଜି ସପ୍ତମ ଦିନ

ଭୁବନେଶ୍ୱର (କେନ୍ୟୁଜ୍) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି । ଗତକାଲି ମଞ୍ଚର କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ସ୍ତରୀୟ କମିଟି ବୈଠକରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସଙ୍କ ସମେତ ବିଭାଗୀୟ ସଚିବ ଉପସ୍ଥିତ ଥିଲେ । ତେବେ ଆନ୍ଦୋଳନକାରୀ ଶିକ୍ଷକ, ଅଧ୍ୟାପକଙ୍କ ବିଭିନ୍ନ ଦାବି ରାଜ୍ୟସରକାର ମାନିନେଇଥିବା ବେଳେ ଚାକିରୀ ସର୍ତ୍ତାବଳୀ ନେଇ ସଂପର୍କିତ ଦାବି ଉପରେ ଆଲୋଚନା ଜାରି ରହିଛି । ଏହି ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନଥିବା ବେଳେ ଆଲୋଚନା ଜାରିରହିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି ।

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଦାବି ପୂରଣ ନେଇ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନରେ ୬୦ ହଜାରରୁ ଅଧିକ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଛନ୍ତି । ଫଳରେ ରାଜ୍ୟରେ ଥିବା ୨ହଜାର ୫୦୦ ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଓ ୧ହଜାର ୫୦୦ ବ୍ଲକଗ୍ରାଣ୍ଟ କଲେଜରେ ପାଠପଢ଼ା ପ୍ରଭାବିତ ହୋଇଛି । ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ସପ୍ତମ ବେତନ କମିଶନ ଲାଗୁ, ବକେୟା ଦରମା ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ମଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.