କଳିଯୁଗର ସତ୍ୟବାନଙ୍କ କାଣ୍ଡ : ସ୍ତ୍ରୀ ଉପରେ ସନ୍ଦେହ କରି ଶାଶୁ ଶ୍ୱଶୁରଙ୍କୁ ଛୁରୀ ଭୁଷିଲା ଜ୍ୱାଇଁ, ଥାନାରେ ଅଟକ

ବ୍ରହ୍ମପୁର (କେନ୍ୟୁଜ): ସାବିତ୍ରୀ ଅମାବାସ୍ୟାରେ ଅଘଟଣ । ଜ୍ବାଇଁର ଛୁରାମାଡରେ ଶାଶୁ ଓ ଶଶୁର ଗୁରୁତର । ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ କଳିଯୁଗର ଜଣେ ସତ୍ୟବାନଙ୍କ ଏପରି କାଣ୍ଡ ଖଲ୍ଲିକୋଟ ଥାନା ଭେଜିପୁଟ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଭେଜିପୁଟ ଗାଁର ପଙ୍କଜ ସାହୁଙ୍କ ଝିଅ ନମିତା ପ୍ରାୟ ୧୧ ମାସ ତଳେ କୁନା ପାଳଙ୍କୁ ବିବାହ କରିଥିଲେ। ଏବେ ନମିତା ଗର୍ଭବତୀ ମଧ୍ୟ ରହିଛନ୍ତି। ହେଲେ କିଛି ମାସ ତଳେ ନମିତାଙ୍କ ସମ୍ପର୍କ ଆଉ ଜଣେ ଯୁବକଙ୍କ ସହ ରହିଥିବା କୁନା ସନ୍ଦେହ କରିବା ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ତେବେ ଆଜି ହଠାତ କୁନା ରାଗି ଯାଇ ନମିତାଙ୍କୁ ଛୁରୀରେ ଆକ୍ରମଣ କରିବା ବେଳେ ଶାଶୁ ଓ ଶ୍ୱଶୁର ଅଟକାଇ ଥିଲେ। ହେଲେ କୁନା କିଛି ନ ଶୁଣି ସେମାନଙ୍କୁ ଛୁରା ମାଡ଼ କରିଥିଲେ। ଏଥିରେ ଉଭୟ ଗୁରୁତର ହୋଇଛନ୍ତି। ଏହି ଆକ୍ରମଣ ଖବର ପଡ଼ୋଶୀମାନେ ଜାଣିବା ପରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁନା ପାଳଙ୍କୁ କାବୁ କରିଥିଲେ। ତାଙ୍କୁ ଗାଁ ଲୋକମାନେ ପ୍ରବଳ ମାଡ଼ ପରେ ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି।

ସେପଟ ଗୁରୁତର ଶାଶୁ ଶ୍ୱଶୁରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। କୁନା ଓ ତାଙ୍କ ସହିତ ଜଣେ ଯୁବକ ସେଠାରେ ଉପସ୍ଥିତ ଥିଲେ। ପୁଲିସ୍‌ ଉଭୟଙ୍କୁ ଥାନାକୁ ଆଣି ଅଟକ ରଖିଛି। ଏଥିସହ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀକୁ ଜବତ କରାଯାଇଛି। ଏହି ଘଟଣାକୁ ନେଇ ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.