ଯାଜପୁର (କେନ୍ୟୁଜ): ଗଣେଶ ପୂଜା ଭସାଣି ସମୟରେ ଅଘଟଣ। ଡିଜେ କରେଣ୍ଟ ଆଘାତରେ ଜଣେ ମୃତ ଓ ୩ଜଣ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟି ନିକଟ ଫୁଲାଡି ଗ୍ରାମରେ। ଆଜି ସନ୍ଧ୍ୟାରେ ସ୍ଥାନୀୟ ବେତଣ୍ଡା ଗ୍ରାମର ଯୁବକ ମାନେ ଗଣେଶ ଭସାଣି ଶୋଭାଯାତ୍ରାରେ ଯାଇଥିବା ବେଳେ ଫୁଲାଡି ଗାଁ ନିକଟରେ ବିଦ୍ୟୁତ ତାର ଡିଜେ ସଂସ୍ପର୍ଶରେ ଆସିଥିଲା। ଏହି ସମୟରେ ସେଠାରେ ଥିବା ୩/୪ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ।
ସଂଗେ ସଂଗେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ କୁଆଖିଆ ଥାନା ଗୋପାଳପୁର ଗ୍ରାମର ଶୁଭଙ୍କର ଓଝା ବୋଲି ଜଣାପଡିଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।