ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୦ ବଖରା ଘରେ ନିଆଁ ଲଗାଇଥିବା ଅଭିଯୋଗ, ଅଗ୍ନିବିପନ୍ନଙ୍କୁ ଭେଟି ସରକାରୀ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

ପିପିଲି(କେନ୍ୟୁଜ): ପିପିଲି ତହସିଲ ତଥା ବଳଙ୍ଗା ଥାନା ଅଧିନ ସରସ୍ପତୀପୁର ପଞ୍ଚାୟତ ବାଲିଉପର ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୦ ବଖରା ଘରେ ନିଆଁ ଲଗାଇ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଆଜି ସକାଳେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସରସ୍ୱତୀପୁର ଯାଇ ଅଗ୍ନିବିପନ୍ନଙ୍କୁ ଭେଟି ସମବେଦନା ଜଣାଇବା ସହ ବିପନ୍ନଙ୍କୁ ପଲିଥିନ ପ୍ରଦାନ କରିଥିଲେ । ବିଧାୟକଙ୍କ ସହ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ୨୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ, ପିପିଲି ତହସିଲଦାର ପୁନମ ମହାପାତ୍ର, ଏସଡିପିଓ ଦେବଦତ୍ତ ବରାଳ, ବଳଙ୍ଗା ଥାନା ଅଧିକାରୀ ରଶ୍ମୀରଞ୍ଜନ ପୃଷ୍ଟି, ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ପିପିଲି ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସରସ୍ୱତୀପୁର ରାଜସ୍ୱ ନୀରିକ୍ଷକ କ୍ଷୟକ୍ଷତି ଆକଳନ କରୁଛନ୍ତି । ପୂର୍ବ ରାଜନୈତିକ ଶତ୍ରୁତାରୁ ଗୃହଦାହ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ପୁରୀ ଏସପିଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ସେହିଭଳି ଆଜି ରାଜସ୍ୱ ବିଭାଗ ତରଫରୁ ଅଗ୍ନିବିପନ୍ନଙ୍କୁ ପଲିଥିନ ଆଦି ଦିଆଯାଇଥିବା ବେଳେ ତୁରନ୍ତ ଅନ୍ୟ ସରକାରୀ ସହାୟତା ଓ ଆବାସ ଯୋଜନାରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲାପାଳଙ୍କ ସହ ବିଧାୟକ ଆଲୋଚନା କରିଥିବା ବେଳେ ଏନେଇ ତଦନ୍ତ ପରେ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି ।

ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ବାଲିଉପର ସାହିର ନକୁଳ ସ୍ୱାଇଁଙ୍କ ଘରେ କିଛି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ନକୁଳଙ୍କ ପତ୍ନୀ ରେଣୁକା ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନକୁଳ ସ୍ୱାଇଁଙ୍କ ସମେତ ଗଦାଧର ସ୍ୱାଇଁ, ସୁରଥ ସ୍ୱାଇଁ, ସୁବ୍ରତ ସ୍ୱାଇଁ, ସେବତୀ ସ୍ୱାଇଁ ଓ ସହଦେବ ସ୍ୱାଇଁଙ୍କ ପ୍ରାୟ ଦଶ ବଖରା ଘର ସହ ସମସ୍ତ ଆସବାବପତ୍ର, ବାଇକ ଆଦି ପୋଡି ପାଉଁଶ ହୋଇ ଯାଇଛି ।

Leave A Reply

Your email address will not be published.