ପ୍ଲାଷ୍ଟିକମୁକ୍ତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା

plastic banଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତାରିଖଠାରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ପୁରୀରେ ପ୍ଲାଷ୍ଟିକ ବ୍ୟାନ୍‌ । ବିଶେଷକରି, ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ ଉପରେ ଲାଗିବ ସମ୍ପୂର୍ଣ୍ଣ କଟକଣା । ପରେ ୨ ବର୍ଷ ମଧ୍ୟରେ ସାରାରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରାଯିବ । ସହରାଞ୍ଚଳରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ଏବଂ ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କାର୍ଯ୍ୟ ତଦାରଖ କରିବ । ପ୍ଲାଷ୍ଟିକ୍‌ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ତଦାରଖ କରିବ ଜଙ୍ଗଲ ଓ ପରିବେଶ ବିଭାଗ । ଏହା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି ।

ଜୁନ୍‌ ୨୩ ତାରିଖରୁ ପ୍ଲାଷ୍ଟିକ ବ୍ୟାନ କରିଛି ମହାରାଷ୍ଟ୍ର । ଏଥିଲାଗି ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ସେଠାକାର ସମସ୍ତ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ କରୁଥିବା କଂପାନୀକୁ ବନ୍ଦ କରାଗଲା । ସୂଚନା ମୁତାବକ ପ୍ରାୟ ୩ ଲକ୍ଷ ଲୋକ ରୋଜଗାର ହରାଇଲେ । ୧୫ ହଜାର କୋଟି ଟଙ୍କା କ୍ଷତି ହେଲା । ସେଠାରେ ଏବେ ପଲିଥିନ, ଥର୍ମୋକଲ, ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ ସଂପୂର୍ଣ୍ଣ ନିଷିଦ୍ଧ ହୋଇଛି । ଉତ୍ତରପ୍ରଦେଶରେ ଆସନ୍ତା ୧୫ ତାରିଖରୁ ପ୍ଲାଷ୍ଟିକ ବ୍ୟାନ୍‌ ହେବ । ଆଗକୁ ଏଥିରେ ଓଡ଼ିଶା ସାମିଲ ହେବାକୁ ଯାଉଛି ।

ଦେଶର ପ୍ରାୟ ୧୮ଟି ରାଜ୍ୟ ପଲିଥିନ ବ୍ୟାନ୍‌ କରିଛନ୍ତି । ତଥାପି ଦୈନିକ ୧୫ ହଜାର ଟନ୍‌ ପ୍ଲାଷ୍ଟିକ ୱେଷ୍ଟ ବା ବର୍ଜ୍ୟ ବସ୍ତୁ ବାହାରୁଛି । ୯ ହଜାର ଟନ୍‌ ରିସାଇକଲ୍‌ ହେଉଛି । ବାକି ରାସ୍ତା କଡ଼ରେ କିମ୍ବା ସମୁଦ୍ରରେ ପଡୁଛି । ପ୍ଲାଷ୍ଟିକ୍‌ ନନ୍‌ ବାୟୋଡିଗ୍ରେଡେବଲ୍‌ । ଶହଶହ ବର୍ଷଧରି ପରିବେଶ ପ୍ରଦୂଷଣ କରି ଚାଲିବ । ଜଳରେ ହେଉ କି ସ୍ଥଳରେ, ପ୍ଲାଷ୍ଟିକ ପୃଥିବୀକୁ ନଷ୍ଟ କରୁଛି । ତେଣୁ ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍‌ ଥିଲା, ବିଟ୍‌ ପ୍ଲାଷ୍ଟିକ ପଲ୍ୟୁସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.