ଆଜିଠୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ PM କିଷାନ ଯୋଜନା, ଚାଷୀଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନା । ୭୫ ହଜାର କୋଟି ଟଙ୍କାର ଏହି ଯୋଜନାର ପ୍ରଥମ ପର୍ଯ୍ୟାୟର ଆଜି ଉତ୍ତରପ୍ରଦେଶର ଗୋରଖପୁରରରୁ ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଦେଶର ଏକ କୋଟି ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ ସରକାର । ପ୍ରଥମ କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇ ହଜାର ଟଙ୍କା ଦିଆଯିବ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାଖାପାଖି ଅଢ଼େଇ କୋଟି ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏପ୍ରିଲ ପରେ ଦ୍ୱିତୀୟ ପର୍ଯ୍ୟାୟ କିସ୍ତି ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ କେନ୍ଦ୍ର ସରକାର । ଏଥିପାଇଁ ବର୍ଷରୁ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବଜେଟରେ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାର ଘୋଷଣା କରିଥିଲେ । ଏହି ଟଙ୍କା ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା ଚାଷୀଙ୍କୁ ୩ଟି କିସ୍ତିରେ ଦିଆଯିବ । କ୍ଷୁଦ୍ର ଓ ମଧ୍ୟମ କୃଷକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସରକାର ଏହି ଯୋଜନା କରିଛନ୍ତି । କିନ୍ତୁ ଏହି ଯୋଜନାରେ ଭୂମିହୀନ କିମ୍ବା ଭାଗଚାଷୀଙ୍କ ପାଇଁ କୌଣସି ସୁବିଧା ନାହିଁ । ଓଡ଼ିଶା ସରକାର ପିଏମ୍ କିଷାନରେ ସାମିଲ ହେବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି । କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଥିଲେ ।

cm naveen

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଏପଟେ PM କିଷାନ ଯୋଜନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ ସହାୟତା ରାଶି ୬ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଭୂମିହୀନ ଚାଷୀଙ୍କୁ ଯୋଜନାରେ ସାମିଲ କରାଯାଉ ବୋଲି ନବୀନ କହିଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟର କୃଷକଙ୍କ ଆୟ ବଢାଇବା ଓ ଗରିବୀ କମାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ କାଳିଆ ଯୋଜନା ପ୍ରଚଳନ କରିଛନ୍ତି । ଏଥିରେ ୯୨ ପ୍ରତିଶତ ଚାଷୀ, ଭାଗଚାଷୀ ଓ ଭୂମିହାନ କୃଷି ଶ୍ରମିକଙ୍କୁ ସାମିଲ କରାଯାଇଛି । ଭୂମିହୀନ ପରିବାର ପାଇଁ ପଶୁ ସମ୍ପଦ ଓ ମତ୍ସ ଭଳି କ୍ଷେତ୍ରର ବିକାଶ ତ୍ୱରାନିତ କରିବାକୁ ପଦକ୍ଷେପ ନିଆଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୧୦ ହଜାର ଓ ଭୂମିହୀନ ଓ ଭାଗଚାଷୀଙ୍କୁ ୧୨ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଗଲାଣି । ସେଥିରୁ ୩ଲକ୍ଷ ୧୦ ହଜାର ଭୂମିହୀନ ଓ ୫୮ ହଜାର ଭାଗଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.