ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ୫ଟାରେ ଶ୍ରୀମନ୍ଦିର ଗର୍ଭଗୃହରୁ ଶ୍ରୀଜିଉଙ୍କୁ କରିବେ ଦର୍ଶନ

ପୁରୀ(କେନ୍ୟୁଜ୍): ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସପରିବାର ପହଞ୍ଚିଥିଲେ ରାଷ୍ଟ୍ରପତି। ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ସୁନୀଲ ବଂଶଲ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଭୁବନେଶ୍ୱର ଏୟାରପୋର୍ଟରୁ ଏକ ସ୍ୱତନ୍ତ୍ର ହେଲିକପ୍‌ଟର ଯୋଗେ ପୁରୀ ଗସ୍ତ କରିଥିଲେ। ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ ବିଶାଲ ସିଂହ ସ୍ୱାଗତ ଜଣାଇଥିଲେ। ସେଠାରୁ ସିଧାସଳଖ ପୁରୀ ରାଜଭବନ ଯାଇଛନ୍ତି ।

ଅପରାହ୍‌ଣ ୫ଟାରେ ଶ୍ରୀମନ୍ଦିର ଯାଇ ଗର୍ଭଗୃହରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କ କାର୍କେଡ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ ରହିବା ପରେ ପୁଣି ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବେ । ଆସନ୍ତାକାଲି ସକାଳ ୧୦ଟା ୩୫ରେ ରାଷ୍ଟ୍ରପତି ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ । ୧୧ଟା ସମୟରେ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ । ପ୍ରାୟ ଏକ ଘଣ୍ଟା ରହିବା ପରେ ୧୨ଟା ବେଳେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ସୁରକ୍ଷା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.