ବିଶ୍ଵ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି, ୧୦ଟା ୩୫ରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ କରିବେ ପରିଦର୍ଶନ

ପୁରୀ(କେନ୍ୟୁଜ୍): ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ । ୧୧ଟାରେ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ । ପ୍ରାୟ ଏକ ଘଣ୍ଟା ରହିବା ପରେ ୧୨ଟା ବେଳେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ସୁରକ୍ଷା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଗତକାଲି ଶ୍ରୀଜୀଉଙ୍କ ଦର୍ଶନ ପରେ ମହାମହିମ ପ୍ରଥମ ଥର ପାଇଁ ପୁରୀ ରାଜଭବନରେ ରାତ୍ରିଯାପନ କରିଛନ୍ତି । ଆଜିଠୁ ପୁରୀରେ ବିଶ୍ୱ ବୈଷ୍ଣବ ସମ୍ମିଳନୀ । ୩ଦିନ ଧରି ସମ୍ମିଳନୀ ଚାଲିବ ।

president

ଶରଧାବାଲିରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀର ଆଜି ଅଧିବାସ ଓ ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଚୈତନ୍ୟ ଗୌଡ଼ୀୟ ମଠରେ ଅଧିବାସ ସଭା ହେବ । ମଠର ସଭାପତି ଭକ୍ତି ବିଚାର ବିଷ୍ଣୁ ମହାରାଜଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଦେଶର ବିଭିନ୍ନ ମଠର ଆଚାର୍ଯ୍ୟ ଓ ସନ୍ୟାସୀ ଯୋଗଦେଉଛନ୍ତି । ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୩ଦିନିଆ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଚୈତନ୍ୟ ମହାପ୍ରଭୁଙ୍କ ଆଧ୍ୟାତ୍ମିକ ବିଚାର ଓ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା ହେବ । ରାଜ୍ୟ ଓ ରାଜ୍ୟ ବାହାରୁ ୬୦୦ ସାଧୁସନ୍ଥ ଯୋଗଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.