ରାଜ୍ୟସଭାକୁ ମନୋନୀତ ହେଲେ ଦୁଇ ଓଡିଆ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହ

ଭୁବନେଶ୍ବର : ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ରାଜ୍ୟସଭାକୁ ଯିବେ । କଳାକ୍ଷେତ୍ରରେ ପାରଦର୍ଶିତା ପାଇଁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନୋନୀତ କରିଛନ୍ତି । ପୁରୀ ଜିଲ୍ଲାରେ ଜନ୍ମିତ ରଘୁନାଥ ମହାପାତ୍ର ଦୀର୍ଘଦିନ ଧରି ପଥର ଖୋଦେଇ କଳାରେ ଉତ୍କର୍ଷ ଦେଖାଇ ଆସିଛନ୍ତି । ନିଜ ପଥର କାମ ପାଇଁ ଦେଶବିଦେଶରେ ସେ ପରିଚିତ । ଓଡ଼ିଶାର କଳାକୁ ପ୍ରଚାର ପ୍ରସାରରେ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସେହିପରି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ବି ରାଜ୍ୟସଭାକୁ ଯିବେ । ତାଙ୍କ ନାଁ ଉପରେ ବି ରାଷ୍ଟ୍ରପତି ମୋହର ମାରିଛନ୍ତି । ଦୀର୍ଘଦିନ ଧରି ଓଡ଼ିଶୀ ଓ ଭାରତନାଟ୍ୟମ୍‌ ନୃତ୍ୟରେ ପାରଦର୍ଶିତା ଦେଖାଇ ଆସୁଛନ୍ତି ସୋନାଲ୍‌ । ଏହା ବ୍ୟତୀତ ସେ ଜଣେ ସୁପରିଚିତା କୋରିଓ ଗ୍ରାଫର, ବକ୍ତା ଓ ସାମାଜିକ କର୍ମୀ । ଓଡ଼ିଶାର ଦୁଇ ଜଣଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍‌ କରି ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ରଘୁନାଥ ମହାପାତ୍ର ଓ ସୋନାଲ୍‌ ମାନସିଂହଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ।

ରଘୁନାଥ ମହାପାତ୍ର, ସୋନାଲ୍‌ ମାନସିଂହଙ୍କ ସମେତ ଦେଶର ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଅନ୍ୟ ଦୁଇ ଜଣ ହେଲେ ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ରାକେଶ ସିହ୍ନା ଓ କୃଷକ ନେତା ରାମ ସକଲ । ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ଅଭିନେତ୍ରୀ ରେଖା, ଶିଳ୍ପପତି ତଥା ସମାଜସେବୀ ଅନୁ ଆଗା ଓ ପରାଶରନଙ୍କ ସ୍ଥାନରେ ଏମାନେ ରାଜ୍ୟସଭାକୁ ଯିବେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିପାରିବେ ।

ସ୍ଥପତି ରଘୁନାଥ ମହାପାତ୍ର ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପି କୃତଜ୍ଞତା ଜଣାଇଛି । ବିଜେଡିକୁ ଟାର୍ଗେଟ କରି ଦଳ କହିଛି, ବିଜେଡି ପୁଣି ଥରେ ରଘୁନାଥଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଥିଲେ ତାଙ୍କ ପ୍ରତି ସମ୍ମାନ ହୋଇଥାନ୍ତା । ରଘୁନାଥଙ୍କ ପ୍ରତି ଉଭୟ କଂଗ୍ରେସ ଓ ବିଜେଡି ଅବହେଳା କରିଥିବା ବିଜେପି କହିଛି । ସେପଟେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ଏହା ବିଜେପିର ଦୋମୁହାଁ ନୀତି ବୋଲି ବିଜେଡି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.