ସରକାରୀ ବୈଠକରେ ଆଉ ପସିବନି ବାହାର ଖାଇବା, କେବଳ ପରଷାଯିବ ମାଣ୍ଡିଆରୁ ତିଆରି ସ୍ନାକ୍ସ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କରିବା ଦିଗରେ ବିଚାର କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିଂଦ ପାଢ଼ୀ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ସଚିବଙ୍କୁ ପତ୍ର ଲେଖିଛନ୍ତି । ପୁଷ୍ଟିରେ ଭରପୂର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଖୁରୁମା, ନିମିକି, ସେଉ, ପିଠା, ଛତୁଆ ଆଦି ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଗ୍ରାହକ ମହଲରେ ଏହା ବହୁଳ ଭାବରେ ଆଦୃତ ହେଉଛି । ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ପ୍ରଶିକ୍ଷିତ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିଭିନ୍ନ ବିଭାଗକୁ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ ଯୋଗାଣ ଏକ ବଡ଼ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରମୁଖ ଶାସନ ସଚିବ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ଲଘୁଶସ୍ୟର ଉପକାରିତା ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ମାଣ୍ଡିଆରୁ ସ୍ନାକ୍ସ ପ୍ରସ୍ତୁତିରେ ଅନେକକୁ ଜୀବିକା ଯୋଗାଇଦେବ ବୋଲି ପ୍ରମୁଖ ଶାସନ ସଚିବ ପତ୍ରରେ ଜଣାଇଛନ୍ତି । ଏଥି ସହିତ ପ୍ରମୁଖ ଶାସନ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନା ଓଡ଼ିଶା ମିଲେଟ୍‌ ମିଶନକୁ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ କରୁଅଛି ।

ମାଣ୍ଡିଆ ଏବଂ ଲଘୁଶସ୍ୟ ଅତ୍ୟନ୍ତ ପୁଷ୍ଟିକର ଏବଂ ଏହା ଜଳବାୟୁ ସହନଶୀଳ । ବର୍ଷାପୁଷ୍ଟ ଅଞ୍ଚଳର ସମ୍ବେଦନଶୀଳ କୃଷକମାନଙ୍କ ଜୀବିକାର ଉନ୍ନତି ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ମାଣ୍ଡିଆକୁ ଚାଷରେ ଏବଂ ଜନସାଧାରଣଙ୍କ ଖାଦ୍ୟଥାଳିରେ ପୁନଃପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛି । ମିଲେଟ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡ଼େଲ୍‌ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି ଏବଂ ଭାରତ ସରକାର ମିଲେଟ୍‌ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲକୁ ଆପଣେଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଜାତିଂସଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷକୁ ସକି୍ରୟ ଭାବରେ ପାଳନ କରିବା ସହିତ ମିଲେଟ୍‌ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି ।

ଓଡ଼ିଶା ମିଲେଟ୍‌ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‌ ଶକ୍ତି ଆଉଟ୍‌ଲେଟ୍‌ ଖୋଲାଯାଉଛି । ମା’ଶକ୍ତିମୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କୃଷିଭବନ ପରିସରରେ ମିଲେଟ୍‌ ଶକ୍ତି ଆଉଟ୍‌ଲେଟ୍‌ ପରିଚାଳିତ ହେଉଛି । ଏହି ଆଉଟ୍‌ଲେଟ୍‌କୁ ସଂପ୍ରତି ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ଏଗ୍ରିକଲଚରାଲ୍‌ ରିସର୍ଚ୍ଚ ଏବଂ ଭାରତ ସରକାରଙ୍କ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମିଲେଟ୍‌କୁ ମୂଲ୍ୟଯୁକ୍ତ କରିବା ଦିଗରେ ସର୍ବୋତ୍ତମ ଉପକ୍ରମ ବୋଲି ସ୍ୱୀକୃତି ମିଳିଛି । ଏଥି ସହିତ କୃଷିଭବନରେ ଆୟୋଜିତ ସମସ୍ତ ବୈଠକରେ ମିଲେଟ୍‌ରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ ଆରମ୍ଭ ହୋଇସାରିଛି ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.