ସାରା ରାଜ୍ୟରେ ଲାଗି ରହିଛି ବର୍ଷା : ନୂଆପଡ଼ାରେ ଭୁଶୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ନୂଆପଡ଼ା (କେନ୍ୟୁଜ):  ଲଗାଣ ବର୍ଷାରେ ଧୋଇଗଲା ବ୍ରିଜ୍‌ । ଲଗାଣ ବର୍ଷାରେ ନୂଆପଡ଼ା ଜିଲ୍ଲା ସାରାବଙ୍ଗ ବ୍ରିଜ୍‌ ଭୁଶୁଡି ପଡିଛି । ଫଳରେ ନୂଆପଡ଼ା-ଅମାନାରା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦୀର୍ଘଦିନ ହେବ ଏହି ବ୍ରିଜ୍‌ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । ଚଳିତ ଲଗାଣ ବର୍ଷାରେ ଜୋଙ୍କ ନଦୀର ବନ୍ୟାଜଳ ଆସିବାରୁ ବ୍ରିଜ୍‌ ଭାଙ୍ଗିଯାଇଛି । ଯାହାଫଳରେ ଅମାନରା, ଚୁଲାଭାଟ ଓ ମୋଟା ନୂଆପଡ଼ା ୩ଟି ପଞ୍ଚାୟତର ଲୋକେ ସଦର ମହକୁମାଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛନ୍ତି ।

ସେପଟେ ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା । ଗଜପତି ଜିଲ୍ଲା କାଶୀନଗର ଠାରେ ସତର୍କ ସଙ୍କେତ ଟପିଲା ବଂଶଧାରା । ସତର୍କ ସଂକେତ ୫୪.୧୦ ମିଟର ଥିବା ବେଳେ ବର୍ତ୍ତମାନ ୫୪.୨୮ ମିଟରରେ ପ୍ରବାହିତ ହେଉଛି ବଂଶଧାରା । କାଶୀନଗର ଠାରେ ବିପଦ ସଂକେତ ରହିଛି ୫୪.୬୦ ମିଟର । ଜିଲ୍ଲାରେ ୭୨.୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ହୀଳମଣ୍ଡଳମ ଗୋଟା ବ୍ୟାରେଜର ୨୧ଟି ଗେଟ୍‌ ଖୋଲାଯାଇଛି । ୮୦ ମିଟର ଉପରକୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଗୋଟା ବ୍ୟାରେଜରେ ବନ୍ୟାଜଳ ୪୩ ହଜାର ୩୦୮ କ୍ୟୁସେକ ପ୍ରବେଶ କରୁଥିବା ବେଳେ ୪୫ହଜାର ୩୩୦ କ୍ୟୁସେକ ଜଳ ନିସ୍କାଷନ କରାଯାଉଛି । ଜିଲ୍ଲା ପ୍ରଶାସନ କାଶୀନଗର ଓ ଗୋଟା ବ୍ୟାରେଜରେ ମନିଟରିଂ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.