ଘୋଷଯାତ୍ରାକୁ ଆଉ ମାତ୍ର ୫ ଦିନ: ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ratha yatra

ପୁରୀ : ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ନିୟୋଜିତ ହେବେ ୧୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ । ଏବର୍ଷ ପ୍ରଥମ ଥର ଲାଗି ମୁତୟନ ହେବ ଏନ୍‌ଏସ୍‌ଜି । ରାପିଡ୍‌ ଆକ୍ସନ ଫୋର୍ସ ଓ ରାଜ୍ୟ ପୋଲିସ ପକ୍ଷରୁ ଏସ୍‌ଟିୟୁ ଯବାନ ମଧ୍ୟ ନିୟୋଜିତ ହେବେ । ଜଳ, ସ୍ଥଳ ଓ ଆକାଶ ସବୁଠି ସୁରକ୍ଷାକର୍ମୀଙ୍କ କଡ଼ା ନଜର ରହିବ । ସମୁଦ୍ରକୂଳରେ ମୁତୟନ ହେବେ ଲାଇଫ୍‌ ଗାର୍ଡ । ସେହିପରି ରଥଯାତ୍ରାରେ ସ୍ୱାସ୍ଥ୍ୟସେବା, ଟ୍ରାଫିକ ନିୟନ୍ତ୍ରଣ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ପୁରୀରେ ୧୩୬ ଜଣ ଡାକ୍ତର, ୫୪୧ ଜଣ ପାରା ମେଡିକାଲ ଷ୍ଟାଫ୍‌ ନିୟୋଜିତ ହେବେ । ଭିଡ଼କୁ ଆଖିରେ ରଖି ସ୍ୱତନ୍ତ୍ର ବସ୍‌ ଓ ୧୮୬ଟି ସ୍ପେଶାଲ ଟ୍ରେନ୍‌ ଚାଲିବ ।

ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟରେ ମଧ୍ୟ ଲାଗିବ ସୁପ୍ରିମ୍‌କୋର୍ଟଙ୍କ କଟକଣା । କୌଣସି ସେବାୟତ ଭକ୍ତଙ୍କଠାରୁ ଦାନ ନେଇପାରିବେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଏନେଇ କଟକଣା ଲଗାଇବା ସହ ରଥ ଚାରିପାଖରେ ହୁଣ୍ଡି ବ୍ୟବସ୍ଥା କରାଯିବ । ସମୁଦାୟ ୧୨ଟି ହୁଣ୍ଡି ରଥ ଚାରିପାଖେ ରଖାଯିବ । ସେହିପରି ଗୁଣ୍ଡିଚା ଘରେ ରହିବ ୬ଟି ହୁଣ୍ଡି ଓ ଦାନବାକ୍ସ । ଗୁଣ୍ଡିଚା ଘରେ ମହାପ୍ରଭୁ ଥିବା ସମୟରେ ଦଇତାପତି ନିଯୋଗ ବିକ୍ରି କରୁଥିବା ଦର୍ଶନ ଟିକେଟ ଉପରେ ମଧ୍ୟ କଟକଣା ଲାଗିଛି । ଚଳିତ ବର୍ଷ ଠାରୁ ଦଇତାପତି ନିଯୋଗ ଆଉ ଏହି ଟିକେଟ ବିକ୍ରି କରିପାରିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିକେଟ୍‌ ବ୍ୟବସ୍ଥା କରାଯିବ ।

ଆସନ୍ତା ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥଖଳାରେ ତିନି ରଥ ନିର୍ମାଣ କାମ ଏବେ ଶେଷ ପଯ୍ୟାର୍ୟରେ ପହଞ୍ଚିଛି । ରଥର କଳସ, ଚକ, ଦେବୀ ସିଂହାସନ କାର୍ଯ୍ୟ ସରିଥିବା ବେଳେ ରଙ୍ଗ କାମ ଚାଲିଛିି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.