ଚିକିତ୍ସା ଅବହେଳା ପାଇଁ ୧୯୯୯  ମସିହାରେ ଆଙ୍ଗୁଠି ହରାଇଥିଲା ୧୬ ମାସର ଶିଶୁ ପୂଜା, ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା ୯ ପ୍ରତିଶତ ସୁଧ ସହିତ ପ୍ରଦାନ ପାଇଁ କମିସନଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଚିକିତ୍ସାରେ ଅବହେଳା ଅଭିଯୋଗ ସଂପର୍କିତ ମାମଲାର ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ୍ ଶୁଣାଣି କରି ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା ୯ ପ୍ରତିଶତ ସୁଧ ସହିତ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ୨୫ ହଜାର ଟଙ୍କା ମୋକଦ୍ଦମା ବାବଦ ଖର୍ଚ୍ଚ ପୀଡିତା ପାଇବାକୁ ହକଦାର ବୋଲି କମିସନ ରାୟ ଦେଇଛନ୍ତି। ଯଦି ଏହି ନିର୍ଦ୍ଦେଶ ଦୁଇ ମାସ ଭିତରେ ପାଳନ କରା ନ ଯାଏ ତେବେ ଏ ସମସ୍ତ ରାଶିକୁ ୧୨ ପ୍ରତିଶତ ସୁଧ ସହିତ ପୀଡିତାଙ୍କୁ ପ୍ରଦାନ କରାଯିବ ବୋଲି କମିସନ ସଭାପତି ଡକ୍ଟର ଜଷ୍ଟିସ ଡି.ପି. ଚୌଧୁରୀ, ସଦସ୍ୟ ଡକ୍ଟର ପି.କେ.ପୃଷ୍ଟି ଓ ଏସ.ଏଲ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏକ ୧୬ ମାସର ଶିଶୁ ପୂଜାର ଡାହାଣ ହାତ ବୁଢା ଆଙ୍ଗୁଠିକୁ ୧୯୯୯, ମେ ୨୩ ସଂଧ୍ୟା ୬ଟାରେ ସାପ କାମୁଡ଼ିଥିଲା।

 

ତାଳଚେର କୋଲିଆରି ଥାନା ଅନ୍ତର୍ଗତ ସାନଯୋରଡ଼ା ଗ୍ରାମର ପ୍ରତାପ ସାହୁଙ୍କ ଝିଅ ପୂଜାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୂଜାର ବାପା ଜଣେ ଏମସିଏଲ କର୍ମଚାରୀ ହୋଇ ନଥିବାରୁ ଡାକ୍ତରଖାନାରେ ନନ୍-ଏନଟାଇଟେଲ୍ଡ ରୋଗୀ ଭାବେ ପୂଜାକୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ପୂଜାଙ୍କ ବୁଢା ଆଙ୍ଗୁଠି ପାଚି ଯାଇଥିଲା। ୧୯୯୯, ଜୁନ ୧ରେ ପୂଜାର ଡାହାଣ ହାତ ବୁଢା ଅଙ୍ଗୁଠି କାଟିବା ପାଇଁ ଡାକ୍ତର ନିଷ୍ପତ୍ତି ନେଇଥିଲେ। ଚିକିତ୍ସାରେ ଅବହେଳା ପାଇଁ ପୂଜା ସବୁ ଦିନ ପାଇଁ ତାଙ୍କ ଡାହାଣ ହାତ ବୁଢା ଆଙ୍ଗୁଠିକୁ ହରାଇ ଏକ ପ୍ରକାର ଅକ୍ଷମ ହୋଇଥିଲେ ବୋଲି ପରିବାର ତରଫରୁ ଅଭିଯୋଗ ହୋଇଥିଲା।

୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ପୂଜାଙ୍କ ପରିବାର ତରଫରୁ ୧୯୯୯ରେ ଅନୁଗୁଳ ଜିଲ୍ଲା ଖାଉଟି ବିବାଦ ସମାଧାନ ମଞ୍ଚ (ଜିଲ୍ଲା ଖାଉଟି ଅଦାଲତ)ରେ ମାମଲା ଦାୟର ହୋଇଥିଲା। ପୂଜାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଏକ ମାସ ଭିତରେ ପ୍ରଦାନ ପାଇଁ ଜିଲ୍ଲା ଖାଉଟି ଅଦାଲତ ୨୦୦୦, ଫେବ୍ରୁଆରି ୨୧ରେ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଡାକ୍ତରଖାନା କର୍ତ୍ତୃପକ୍ଷ, ଶିଶୁରୋଗ ବିଶେଷଜ୍ଞ ଓ ଏମସିଏଲ ରାଜ୍ୟ ଖାଉଟି କମିସନରେ ଅପିଲ ଦାୟର କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଦର୍ଶାଇଥିଲେ ଯେ ଡାକ୍ତରଖାନାରେ ପୂଜାଙ୍କୁ ଭର୍ତ୍ତି କରାଯିବା ପରେ ସାପ କାମୁଡ଼ିଥିବା ବୁଢା ଆଙ୍ଗୁଠିରେ ଏକ କଳା ସୂତା ଜୋର କରି ବନ୍ଧା ଯାଇଥିଲା। ଏହି ସୂତାବନ୍ଧା ଯୋଗୁ ପରବର୍ତ୍ତୀ ସମୟରେ ବୁଢା ଅଙ୍ଗୁଠି ପଚି ଯାଇଥିଲା। ଚିକିତ୍ସାରେ କୌଣସି ଅବହେଳା କରାଯାଇ ନଥିଲା। ପୂଜାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଉପଯୁକ୍ତ ଚିିକିତ୍ସା କରାଯାଇ ନଥିଲା। ଫଳରେ ପୂଜାଙ୍କ ବୁଢା ଆଙ୍ଗୁଠି କଟିବାକୁ ପଡିଲା। ବୁଢା ଆଙ୍ଗୁଠି କଟାଯିବା ଯୋଗୁ ସବୁ ଦିନ ସେ ଏକ ପ୍ରକାର ଅକ୍ଷମ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.