ସୁପ୍ରିମ୍ ସ୍କାନରରେ ଶ୍ରୀମନ୍ଦିର : ଆମିକସ୍ କ୍ୟୁରି ସବୁପକ୍ଷ ସହ ଆଲୋଚନା କରି ଦେବେ ରିପୋର୍ଟ

puri mandir

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଦାନ ସଂଗ୍ରହ ଓ ପରିଚାଳନା ସମ୍ପର୍କିତ ମାମଲାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି, ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ସବୁ ପକ୍ଷଙ୍କ ସହ କଥା ହେବେ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ଦେବେ । ନଭେମ୍ବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ପୁରୀ ଜିଲ୍ଲା ଜଜଙ୍କ୍‌ ରିପୋର୍ଟ ମଧ୍ୟ ସୁପ୍ରିମ୍‌କୋର୍ଟ ଗ୍ରହଣ କରିଛନ୍ତି । ଏହି ରିପୋର୍ଟକୁ ୱେବ୍‌ ସାଇଟ୍‌ରେ ଅପଲୋଡ୍‌ କରିବାକୁ କୁହାଯାଇଛି । ଯାହା ୨ ସପ୍ତାହ ପର୍ଯ୍ୟନ୍ତ ରହିବ । ସେହିପରି ଦେଶର ବିଭିନ୍ନ ଧର୍ମପୀଠର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିବାକୁ କୋର୍ଟ ଗତ ୮ ତାରିଖରେ ରାଜ୍ୟ ସରକାରଙ୍କୁ ଚିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ରାଜ୍ୟ ସରକାର ୩ ଜଣିଆ ଟିମ୍‌ ଗଠନ କରିଛନ୍ତି । ଟିମ୍‌ ବୈଷ୍ଣୋଦେବୀ, ସୋମନାଥ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର ଆଦି ବିଭିନ୍ନ ଧର୍ମପୀଠ ପରିଦର୍ଶନ କରି ପରିଚାଳନା ବ୍ୟବସ୍ଥା ଦେଖିବେ । ଏବେ ରଥଯାତ୍ରା ସମୟ ହୋଇଥିବାରୁ ଟିମ୍‌ର ଗସ୍ତ ସମ୍ଭବ ହୋଇନି । ରଥଯାତ୍ରା ପରେ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବାର ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ।

ସେହିପରି ଡ୍ରେସ୍‌ କୋଡ୍‌ ସମ୍ପର୍କିତ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ଦଇତାପତି ନିଯୋଗ ସଭାପତି । ଏହାସହ ଆମିକସ୍‌ କ୍ୟୁରି ଆସି ସବୁ ନିଯୋଗ ସହ ଆଲୋଚନା କଲେ ସହଯୋଗ କରାଯିବ ବୋଲି ସେ କହିଛନ୍ତି ।

ଜୁନ୍‌ ୮ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେବାୟତଙ୍କ ଦାନଗ୍ରହଣ ଉପରେ କଟକଣା ଲାଗିଛି। ଶୃଙ୍ଖଳିତ ଦର୍ଶନ ଉପରେ ନଜର ରଖିବାକୁ ଅଧିକ ସିସିଟିଭି ମନ୍ଦିରରେ ଲାଗିଛି ।

ଅନ୍ଯପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ନତତ୍ତ୍ୱ ବିଭାଗ ସତ୍ୟପାଠ ଦାଖଲ କରିଛି । ଏଥିରେ ଦର୍ଶାଯାଇଛି, ଜୟବିଜୟ ଦ୍ୱାର ମରାମତି କାମର ଅଗ୍ରଗତି ହୋଇନାହିଁ । ଏଥିପାଇଁ ଯଥେଷ୍ଟ ସମୟ ମିଳିନାହିଁ । ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏନ.କେ. ମହାନ୍ତି କମିଶନ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି । ରଥଯାତ୍ରାରୁ ବାହୁଡ଼ା ମଧ୍ୟରେ ଜୟବିଜୟ ଦ୍ୱାର ମରାମତି କାମ ତ୍ୱରାନ୍ଵିତ କରିବାକୁ ହାଇକୋର୍ଟ କହିଛନ୍ତି । ସେହି ସମୟରେ ଦୈନିକ ୧୨ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସବୁ ସହାୟତା ଯୋଗାଇଦେବେ । ସେହିପରି ଗୁଣ୍ଡିଚା ମନ୍ଦିରର ସ୍ଥିତି ସମୀକ୍ଷା ପାଇଁ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦ରେ ହେବ । ସେଦିନ ମରାମତି କାମର ଅଗ୍ରଗତି ନେଇ ଏଏସ୍‌ଆଇ ପୁଣି ସତ୍ୟପାଠ ଦାଖଲ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.