ଭୁଜାଲିରେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ମଙ୍ଗଳସୂତ୍ର, ପର୍ସ ଓ ମୋବାଇଲ ନେଇ ଚମ୍ପଟ ମାରିଲେ ଲୁଟେରା

ସୋର(କେନ୍ୟୁଜ୍): ବାଲେଶ୍ୱର ମୟୁରଭଞ୍ଜ ସୀମା ଔପଦା କପ୍ତିପଦା ରାସ୍ତାରେ ବାରମ୍ବାର ଲୁଟ ଏବଂ ଛିନତାଇ ସାଧାରଣ ଘଟଣାରେ ପରିଣତ ହୋଇଛି। ଗତକାଲି ଅପରାହ୍ନ ୪ ଟା ୧୫ ସମୟ ହେବ କପ୍ତିପଦା ବ୍ଲକ ଚତୁରୀସାହି ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ନିବେଦିତା ପାଣିଗ୍ରାହୀ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ଓ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଔପଦା ସୀମା କବାଟଘାଇ ଛକରେ ଔପଦା ପଟୁ ବାଇକ ଯୋଗେ ଦୁଇ ଜଣ ଯୁବକ ଆସି ଭୁଜାଲିରେ ଶିକ୍ଷୟିତ୍ରୀଙ୍କ ଡାହାଣ ହାତ ଓ ବେକକୁ ଆକ୍ରମଣ କରି ମଙ୍ଗଳସୂତ୍ର, ପର୍ସ ଓ ମୋବାଇଲ ନେଇ ଘଟଣା ସ୍ଥଳରୁ ଛୁ ମାରିଥିଲେ।

ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କୁ ଅନ୍ୟ ଜଣେ ଶିକ୍ଷୟିତ୍ରୀ ପହଞ୍ଚି ତାଙ୍କୁ ଆଣି ଔପଦା ମେଡିକାଲରେ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ପରେ ଶ୍ରୀମତୀ ପାଣିଗ୍ରାହୀ ଔପଦା ଥାନାରେ ଏନେଇ ଜଣାଇଥିଲେ। ଏହି ଘଟଣାରେ ଔପଦା ଥାନା ଆଇଆଇସି କମଳିନୀ ତାଣ୍ଡିଙ୍କ ନିର୍ଦେଶ କ୍ରମେ ଏଏସଆଇ ସଂଗ୍ରାମ କେଶରୀ ବେହେରା ସଦଳ ବଳେ ଶିକ୍ଷୟିତ୍ରୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ତଦନ୍ତ ପରେ ଘଟଣା ଘଟିଥିବା ସ୍ଥାନଟି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଂଚଳର ବୋଲି ଏଏସଆଇ ଶ୍ରୀ ବେହେରା ପ୍ରକାଶ କରିଥିଲେ।

ଏହାପରେ ଆଇଆଇସି ଶ୍ରୀମତୀ ତାଣ୍ଡି ଶ୍ରୀମତୀ ପାଣିଗ୍ରାହୀଙ୍କୁ ଶରତ ଥାନାରେ ଅଭିଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଠିକ ଏହି ଘଟଣାସ୍ଥଳରେ ଗତ ଅଗଷ୍ଟ୨୨ ତାରିଖରେ ଜୈନେକ ଶିକ୍ଷୟିତ୍ରୀଙ୍କ ବେକରୁ ଏହିପରି ସୁନା ଚେନ ଓ ଭେନିଟି ଛିନତାଇ ହୋଇଥିଲା ବେଳେ ସେ ଭୟରେ ଅଭିଯୋଗ କରିନଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.