ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜିଠୁ ପ୍ରଥମ ବ୍ୟାଚ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ, ମୁଖ୍ୟମନ୍ତ୍ରୀ କରିବେ ଶୁଭ ଉଦଘାଟନ

ପୁରୀ (କେନ୍ୟୁଜ): ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜିଠୁ ପ୍ରଥମ ବ୍ୟାଚ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି । ଏସପି ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । କଲେଜ ପରିସରରେ ପ୍ରସ୍ତୁତ ହେଲିପ୍ୟାଡରେ ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବ । ଏହା ପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଡିକାଲ କଲେଜର ଲୋକାର୍ପଣ କରିବେ ।

ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଏଲ୍‌ ମାଣ୍ଡଭୀୟ ମଧ୍ୟ ଯୋଗ ଦେବେ। ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍‌ରେ ଶହେ ଏମବିବିଏସ ସିଟ୍‌ରେ ଛାତ୍ରଛାତ୍ରୀଙ୍କ ଆଡମିସନ ସରିଛି । ଏହି ମେଡିକାଲ କଲେଜର ନିର୍ମାଣ ପାଇଁ ୫ ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମବିବିଏସ ଛାତ୍ରଛାତ୍ରୀମାନେ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଦୁଇବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ନିଜସ୍ୱ ମେଡିକାଲ ନିର୍ମାଣ ଶେଷ ହେବା ପରେ ଏଠାରେ ଆହୁରି ଅଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ । ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡର ବାଲିଗୁଆଳିରେ ସ୍ଥାପନ ହୋଇଛି ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ଏଠାରେ ଉଭୟ ପର୍ଯ୍ୟଟକ ଓ ପୁରୀ ଜିଲ୍ଲାବାସୀ ଉତ୍ତମ ମାନର ଚିକିତ୍ସା ସୁବିଧା ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.