ସରକାରଙ୍କ ନୀତିଗତ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ, ମଦ ପ୍ରସ୍ତୁତି ଉପରେ ରୋକ ଲଗାଇବାକୁ ହୋଇଥିଲା ମାମଲା

କଟକ(କେନ୍ୟୁଜ): ସରକାରଙ୍କ ନୀତିଗତ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମଦ ପ୍ରସ୍ତୁତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ବିଜେପି ପ୍ରବକ୍ତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିଲା ଏହି ମାମଲା । ଦେଶର ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତ ହେଉଥିବା ମଦକୁ ସଂପୂର୍ଣ୍ଣ ବ୍ୟାନ୍‌ କରିବା ପାଇଁ ସେ ଏହି ଆବେଦନ କରିଥିଲେ । ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ଅଶ୍ୱିନୀ ଉପାଧ୍ୟାୟ ଯୁକ୍ତି ରଖିଥିଲେ ଭାରତ ସମ୍ବିଧାନର ଧାରା ୨୧ ଓ ୪୭ ଅନୁଯାୟୀ, ମଦର ପ୍ରସ୍ତୁତି, ବ୍ୟବସାୟ ଓ ସେବନ ଉପରେ ସର୍ବୋଚ୍ଚ ଅଦାଲତ ଲଗାମ ଲଗାନ୍ତୁ । ଆବେଦନକାରୀ ଆହୁରି ମଧ୍ୟ କହିଥିଲେ କି ସିଗାରେଟ ପ୍ୟାକେଟ୍‌ରେ ରହୁଥିବା ସତର୍କତା ଭଳି ମଦ ବୋତଲ ଉପରେ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସତର୍କ ସୂଚନା ରହିବାକୁ ନିର୍ଦ୍ଦେଶ ଦିଅନ୍ତୁ ଅଦାଲତ । ଏହାସହ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ମଦ୍ୟପାନର ଅପକାରିତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉ । ଏହାଦ୍ଵାରା ଯୁବଗୋଷ୍ଠୀ ଉପକୃତ ହେବେ ବୋଲି ଆବେଦନକାରୀ ମତ ରଖିଥିଲେ । ସୁପ୍ରିମକୋର୍ଟ କହିଲେ ଯେ, ଏହା ହେଉଛି ଏକ ସରକାରଙ୍କ ପଲିସି ନିଷ୍ପତ୍ତି । କେତେକଙ୍କ ମତ, ସ୍ୱଳ୍ପ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହିତକାରକ । ତେଣୁ ଏଭଳି ମାମଲା ପ୍ରତ୍ୟାହାର କରି ନେବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅଦାଲତ ।

ମାମଲାକୁ ପ୍ରତ୍ୟାହାର କରା ନ ଗଲେ ଖାରଜ କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସତର୍କ ସୂଚନା ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲା ଲ’ କମିଶନଙ୍କ ନିକଟରେ ଦାଖଲ କରିବାକୁ ଅନୁମତି ମାଗିଥିଲେ ମଧ୍ୟ ତାହାକୁ ଗ୍ରହଣ କରି ନଥିଲେ ସୁପ୍ରିମକୋର୍ଟ । କିଛିଦିନ ତଳେ ଜାତୀୟ ସ୍ତରରେ ମଦ ନିବାରଣ ନୀତି ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଏକ ଆବେଦନ ହୋଇଥିଲେ ମଧ୍ୟ ତାକୁ ଗ୍ରହଣ କରି ନଥିଲେ ସର୍ବୋଚ୍ଚ ଅଦାଲତ ।

Leave A Reply

Your email address will not be published.