ରାତିରେ ଫାଟିଲା ଫ୍ରୀଜ୍: ଜୀଅନ୍ତ ଜଳିଗଲେ ଦମ୍ପତି, ଅଳ୍ପକେ ବର୍ତ୍ତିଗଲେ ୨ ପୁଅ

କେନ୍ଦୁଝର (କେନ୍ୟୁଜ): ଘର ଭିତରେ ଜୀଅନ୍ତା ଜଳିଗଲେ ଦମ୍ପତି । ଅଳ୍ପକେ ବର୍ତିଗଲା ପୁଅ । କେନ୍ଦୁଝର ଜିଲ୍ଲା, ବାମେବାରୀ ଥାନା, ବଳଦା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ଦମ୍ପତି ହେଲେ, ପୂର୍ଣ୍ଣଚନ୍ଦ୍ର ଦେହୁରୀ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ । ଗତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।  ଘରେ ଥିବା ଫ୍ରୀଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଫ୍ରୀଜରେ ବିସ୍ଫୋରଣ ଘଟି ନିଆଁ ଲାଗଯିବାରୁ ଉଭୟ ପୋଡ଼ି ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା ସନ୍ଦେହ କରାଯାଉଛି ।

ଖବର ପାଇ ବାମେବାରୀ ପୋଲିସ୍ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ତେବେ କେଉଁ କାରଣରୁ କିଭଳି ପରିସ୍ଥିତିରେ ଏହି ଦୁଃଖଦ ଘଟଣା ଘଟିଗଲା ସେ ନେଇ ପୋଲିସ୍ ଛାନଭିନ୍ ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ଦେହୁରୀ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଓ ସାନ ପୁଅ ବରୁଣ ଏହି ଘରେ ଶୋଇଥିବା ବେଳେ, ବଡ଼ ପୁଅ କରନ ପାଖରେ ଥିବା ନିଜ ବଡ଼ବାପାଙ୍କ ଘରେ ଶୋଇଥିଲା । ତେବେ ରାତିରେ ହଠାତ୍ ଫ୍ରୀଜରେ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା ।

ବିସ୍ଫୋରଣ ହେବା ସମୟରେ ପାଖ ପଡ଼ିଶା ଲୋକେ ମଧ୍ୟ ଏହାର ଶଦ୍ଦ ଶୁଣିଥିବା କହିଛନ୍ତି । ତେବେ ଏତିକି ବେଳେ, ୯ ବର୍ଷର ସାନପୁଅ ବରୁଣ ଘରୁ ଧାଇଁ ବାହାରକୁ ପଳାଇଥିଲା, ଯାହା ଫଳରେ ସେ ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତିଯାଇଥିଲା । ବରୁଣ ଯାଇ ନିଜ ବଡ଼ଭାଇକୁ ସୂଚନା ଦେବା ପରେ ପାଖ ପଡ଼ିଶା ଲୋକଙ୍କ ସହ ମିଶି ଦମ୍ପତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଯାହାଫଳରେ ଉଭୟ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ନିଆଁ ସଂସ୍ପର୍ଶ  ଆସି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହି ଦୁଃଖଦ ଘଟଣା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ବାମେବାରୀ ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.