ଆଜି ଶ୍ରାବଣ ଶେଷ ସୋମବାରରେ ବିଭିନ୍ନ ଶୈବ ପୀଠରେ ପ୍ରବଳ ଭିଡ଼, ମହାଦେବଙ୍କୁ ଜଳଲାଗି କରୁଛନ୍ତି ଭକ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ରାଜ୍ୟବ୍ୟାପୀ ଶୈବପୀଠ ଗୁଡ଼ିକ ଆଜି ଚଳଚଞ୍ଚଳ ହୋଇ ଉଠିଛି। ବୋଲ ବମ୍‌, ହରହର ବମ୍‌ ଧ୍ୱନିରେ କମ୍ପୁଛି ଏକାମ୍ର କ୍ଷେତ୍ର । ଦୁଇ ବର୍ଷ କରୋନା କଟକଣା ଯୋଗୁ ନିରାଶ ହୋଇଥିବା ମାନସିକଧାରୀ ଦୂରଦୂରାନ୍ତରୁ ଆସି ଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିଛନ୍ତି। ଆଡକାଠ ନିକଟରେ କାଉଡିଆ ମାନେ ଜଳ ଲାଗି କରିଛନ୍ତି। ମନ୍ଦିରର ପହଡ ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବା ପରେ ଭକ୍ତଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ବାହାରେ ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯାଇଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିର ଭିତରକୁ ଛୁରୀ, ପଲିଥିନ ଓ ପ୍ଲାଷ୍ଟିକ୍‌ ସାମଗ୍ରୀ ବାରଣ କରାଯାଇଛି ।

ଏହି ଶେଷ ସୋମବାରରେ ବାବା ଆଖଣ୍ଡଳମଣୀଙ୍କ ପୀଠରେ ମଧ୍ଯ ପ୍ରବଳ ଭିଡ଼ । ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ଲମ୍ବା ଧାଡିରେ ଠିଆ ହୋଇ ମହାଦେବଙ୍କୁ ଜଳଲାଗି କରୁଛନ୍ତି । ବୋଲବମ୍‌, ହର ହର ବମ୍‌ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଭୋର ସମୟରେ ପହଡ ଖୋଲାଯିବା ପରେ ପ୍ରଥମେ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି । ପୀଠରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୂତୟନ କରାଯାଇଛି ।

ସେହିପରି କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ପ୍ରସିଦ୍ଧ ଶୈବପୀଠ ବାବା ସିହଂନାଥଙ୍କ ଠାରେ ମଧ୍ଯ ଭିଡ ଲାଗିରହିଛି । ଜଳଲାଗି ପାଇଁ ମନ୍ଦିରରେ ଉଭୟ ଶ୍ରଦ୍ଧାଳୁ ଏବଂ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ବଡ଼ମ୍ବା ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.