ଆସନ୍ତା କାଲି ଶ୍ରୀକ୍ଷେତ୍ରରେ ପାଳିତ ହେବ ଶ୍ରୀଜୀଉଙ୍କ ବାମନ ଉତ୍ସବ ସହିତ ସୁନିଆ ପର୍ବ, ଲାଗି ହେବ ସୁବର୍ଣ୍ଣ ଥାଳିରେ ରାଜଭୋଗ

ଆସନ୍ତା କାଲି ଶ୍ରୀ ଜୀଉଙ୍କ ବାମନ ବେଶ। କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ। ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ। ପୌରାଣିକ କଥାକୁ ଯଦି ଦେଖିବା ତେବେ ଏହି ଦିନ ଭଗବାନ ବିଷ୍ଣୁ ନିଜର ୫ମ ଅବତାର ନେଇଥିଲେ। ଏହିଦିନ ବାମନ ରୂପରେ ଧରାପୃଷ୍ଠରେ ଅବତରଣ କରିଥିଲେ। ନୃସିଂହ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରି ଶ୍ରୀ ମନ୍ଦିରରେ ଏହି ବାମନ ଉତ୍ସବକୁ ପାଳନ କରାଯାଏ। ଏହିଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବାମନ ବେଶରେ ସଜ୍ଜା ଯାଇଥାଏ।

ଯଦି ନୀତି ନିୟମକୁ ଧ୍ୟାନ ଦେବା ତେବେ ମନ୍ଦିରରେ ଜନ୍ମୋତ୍ସବ ନୀତି ଓ ଦ୍ୱିପ୍ରହର ଧୂପ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରନ୍ତି।ତାଙ୍କ ସାଙ୍ଗରେ ସଜ୍ଜିତ ହୁଅନ୍ତି ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର। ଭାଇ ଭଉଣୀ ଯଥାକ୍ରମେ ରାଜବେଶ ଓ ସାଧାରଣ ବେଶରେ ଦର୍ଶନ ଦିଅନ୍ତି। ଏହିଦିନ ମହାପ୍ରଭୁଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ ତାରେ କୁଶବଟୁ ଗଡ଼ୁ ଧରି ଏକ ବାମନ ରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ସଜାଯାଇଥାଏ। ତେବେ ଏହାକୁ ନେଇ ଲେଖା ବି ରହିଛି ଯେ- ରଥେତୁଂ ବାମନଂ ଦୃଷ୍ଟ୍ଵା ପୁନର୍ଜର୍ନ୍ମେ ନ ବିଦ୍ୟତେ।

ଉତ୍କଳୀୟ ସଂସ୍କୃତି ଓ ସାମାଜିକ କ୍ରମେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଲେଖାଥାଏ। । ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିଆସନ ବର୍ଷର ଗଣନା ହୋଇଥାଏ । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ଦିଆଯାଏ। । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର କୁ ଫେରିଥାନ୍ତି। । ସୁନିଆ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ।

ଏହିକ୍ରମରେ ପ୍ରଭୁଙ୍କର ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନଅରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ମଧ୍ୟ ପାଳନ କରାଯିବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀରେ ପ୍ରଭୁଙ୍କା ବାମନ ଜନ୍ମ ମହୋତ୍ସବ ସହିତ ସୁନିଆ ପର୍ବ ପାଳନ କରାଯାଏ। ପୁରାଣରେ ରହିଛି ବାମନ ଅବତାରରେ ବିଷ୍ଣୁ ଏ ଦିନ ଅଦିତିଙ୍କ ଗର୍ଭରୁ ଜନ୍ମ ହୋଇଥିଲେ । ଯିଏ ବଳିଙ୍କ ଅହଙ୍କାରକୁ ଦମନ କରିଥିଲେ । ବର୍ଷକୁ ଥରେ ଏହିଦିନରେ ପରମ୍ପରା ଅନୁସାରେ ଶ୍ରୀଜୀଉଙ୍କୁ ୩ଟି ସୁବର୍ଣ୍ଣ ଥାଳିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ୩ ବାଡ଼ କାକରା ରାଜ ଭୋଗ ନୈବେଦ୍ୟ ଅର୍ପଣ କରାଯାଏ।

ତେବେ ଏହିଦିନ ଯାଜପୁର ବିରଜା ମନ୍ଦିରରେ ମଧ୍ୟ ନବାଙ୍କ ସହ ବନଜାଗ ବିଧି ପାଳିତ ହୁଏ । ମା’ଙ୍କ ଦୁର୍ଗା ଉତ୍ସବ ସମୟରେ ରଥ ନିର୍ମାଣ ପୂର୍ବରୁ ଏହି ରୀତିନୀତି ପାଳନ କରାଯାଇଥାଏ । ସେହିପରି ରାଜ୍ୟର ବିଭିନ୍ନ ମନ୍ଦିରରେ ସୁନିଆ ପର୍ବ ପାଳିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.